ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର ମରାମତି, ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ୨୬/୦୮/୨୦୧୯ ରେ ବିଦ୍ୟାଳୟ ପରିଚାଳନା କମିଟି ସୁପାରିଶ କ୍ରମେ ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କା ଉଠାଣ କରିଥିଲେ ।

ହେଲେ ଟଙ୍କା ଖର୍ଚ୍ଚ ନ କରି ଅନୁଦାନ ରାଶି ଆତ୍ମସାତ କରିଥିବା ନେଇ ପରିଚାଳନା କମିଟି ସଦସ୍ୟ ଶୁକ୍ରବାର କୋକସରା ବିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସ୍କୁଲ କମିଟି ବିଭିନ୍ନ ସମୟରେ ଅନୁଦାନ ଟଙ୍କା କେଉଁ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ତାର ହିସାବ ମାଗିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ଦେଉ ନ ଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପରିଚାଳନା କମିଟିର ଚେୟାରପର୍ସନ ପ୍ରେମଲାଲ ଶବର, ସଦସ୍ୟ ପରାସର ବେମାଲ, କୈଳାସ ଚନ୍ଦ୍ର ନାଏକ ପ୍ରମୁଖ କୋକସରା ବିଇଓ ଅଫିସ ଆସିଥିଲେ । ତେବେ ବିଇଓ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀଙ୍କୁ ଅଭିଯୋଗ ପତ୍ର ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏ ନେଇ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବି ଆର୍‌ ସି ତୋଫାନ ମାଝୀ କହିଛନ୍ତି ଯେ, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Share