ପ୍ରଧାନ ଶିକ୍ଷକଙ୍କୁ ୧ ବର୍ଷ ଜେଲ

ବାଲିଗୁଡା,୮।୧(ଡି.ଏନ.ଏ.): କନ୍ଧମାଳ ଜିଲା ବେଲଘର ଥାନା ହାଇସ୍କୁଲରେ ଅଧ୍ୟୟନରତ ୨ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ସାହୁଙ୍କୁ ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଦୌରାଜଜ୍‌ ଭାସ୍କରଚନ୍ଦ୍ର ସାହୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ବିଚାରପତି ପ୍ରଧାନ ଶିକ୍ଷକଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ୧୦ ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦେୟ ତାଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୀଡିତା ଦ୍ୱୟ ତାଙ୍କୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରିବା ସହିତ ଅଶାଳୀନ ଆଚରଣ କରୁଥିବା ନେଇ ତୁମୁଡିବନ୍ଧ ବ୍ଲକ ଡବ୍ଲ୍ୟୁଇଓ ମାଗୁଣି ଚରଣ ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ତୁମୁଡିବନ୍ଧ ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା(ନଂ. ୧/୧୫) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ପ୍ରଧାନ ଶିକ୍ଷକଙ୍କୁ କୋର୍ଟରେ ହାଜର କରାଇଥିଲା। ପୀଡ଼ିତାଙ୍କ ପକ୍ଷରୁ ସ୍ବତନ୍ତ୍ର ପୋକ୍ସୋ ପିପି ବନମାଳୀ ବେହେରା ପରିଚାଳନା କରିଥିଲେ।