ସ୍କୁଲ ବହି ବିକି ପ୍ରଧାନ ଶିକ୍ଷକ ନିଲମ୍ବିତ

ଟେନ୍‌ସା,୨୧।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଛନ୍ଦାଚରଣ ସିଂ ଛାତ୍ରୀଛାତ୍ରଙ୍କ ବହିକୁ କବାଡିବାଲାକୁ ବିକ୍ରି କରିଥିଲେ। ଏହି ଅଭିଯୋଗରେ କୋଇଡ଼ା ବିଇଓ ମହମ୍ମଦ ଏସ.ରେହେମାନ ଗୁରୁବାର ପ୍ରଧାନ ଶିକ୍ଷକ ସିଂଙ୍କୁ ନିଲମ୍ବିତ କରିଛନ୍ତି। ଛାତ୍ରୀଛାତ୍ରଙ୍କ ପାଇଁ ସରକାରଙ୍କ ତରଫରୁ ମାଗଣାରେ ବହି ଯୋଗାଇ ଦିଆଯାଉଥିଲା। ସେହି ବହିକୁ ଛାତ୍ରୀଛାତ୍ରଙ୍କୁ ବାଣ୍ଟିବା ବଦଳରେ କବାଡିବାଲାକୁ ବିକ୍ରି କରିବାବେଳେ ଲୋକଙ୍କ ହାତରେ ଧରାପଡ଼ିଥିଲା। ୩ହଜାରରୁ ଅଧିକ ବହି ଅଟୋରେ ବୋଝେଇ ହୋଇ ଯାଉଥିବାବେଳେ ଲୋକେ ଧରିଥିଲେ। ଘଟଣା ଲୋକଲୋଚନକୁ ଆସିବା ପରେ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ କୋଇଡା ବିଇଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି।