ଭୁବନେଶ୍ୱର,୨ା୧୧: ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ପୁଷ୍ଟିକର ସ୍ବାଦିଷ୍ଟ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ପାଇଁ ପିଏମ୍-ପୋଷଣ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ମାତ୍ର ବିଭିନ୍ନ ସମୟରେ ଏଥିରେ ଅନିୟମିତା ହେଉଥିବା ଅଭିଯୋଗ ହେଉଛି।
ଯାଜପୁର ଜିଲା ଦାନଗଦି ବ୍ଲକ ଅଧୀନ ଟୋଲକାନିସ୍ଥିତ ଝାଡ଼େଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା ନେଇ ହୋଇଥିବା ଅଭିଯୋଗ ଉପରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ଦେହୁରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଗତ ୧୩ ଦିନ ହେବ ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ଲଙ୍କା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ତେବେ କାର୍ଯ୍ୟରେ ଅବହେଳା କରିଥିବାରୁ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦିଆଯାଇଛି।