ଉଚ୍ଛେଦ ପୂର୍ବରୁ ନିଜ ଘର ନିଜେ ଭାଙ୍ଗିଦେଲେ ପ୍ରଧାନଶିକ୍ଷକ, ୩ ଅଟକ

ତିହିଡ଼ି,୨୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ବୈକୁଣ୍ଠସାହି ରାସ୍ତା ଜବରଦଖଲ ହୋଇଥିଲା। ରାସ୍ତାକୁ ମାଡ଼ି ଜଣେ ପ୍ରଧାନଶିକ୍ଷକ ଘର ତିଆରି କରିଥିବା ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯିବା ପୂର୍ବରୁ ଗୃହ ମାଲିକ ଜେସିବି ସହାୟତାରେ ନିଜ ଘର ଭାଙ୍ଗିଥିଲେ। ପରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଜେସିବି ସହାୟତାରେ ଘର ଭାଙ୍ଗିବାକୁ ଉଦ୍ୟମ କରାଯିବାରୁ ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ତଥା ସରପଞ୍ଚ ଜୟଶ୍ରୀ ବେହେରା ଏହାର ବିରୋଧ କରି ପାଟିତୁଣ୍ତ କରିଥିଲେ। ପରେ ପୋଲିସ ସରପଞ୍ଚ, ତାଙ୍କ ସ୍ବାମୀ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ବେହେରା ଓ ଅନ୍ୟଜଣଙ୍କୁ ଥାନାକୁ ନେଇ ଅଟକ ରଖିଥିବା ଜଣାଯାଇଛି।

ଖବରରୁ ଜଣାଯାଇଛି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୭ତାରିଖରେ ବୈକୁଣ୍ଠସାହିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସରପଞ୍ଚ ବେହେରାଙ୍କ ଘର ଭାଙ୍ଗିବା ଆରମ୍ଭ ହେବା ପରେ ସେ ଜେସିବି ସାମ୍ନାରେ ଶୋଇ ଏହାର ପ୍ରତିବାଦ କରିଥିଲେ। ତାଙ୍କ ସ୍ବାମୀ ପ୍ରଧାନଶିକ୍ଷକ ଘର ଭାଙ୍ଗିବା ପାଇଁ ପ୍ରଶାସନକୁ ୧୫ଦିନ ସମୟ ଦେବାକୁ ଅନୁରୋଧ କରିଥିଲେ। ପରେ ପ୍ରଶାସନ ଘର ନ ଭାଙ୍ଗି ଫେରି ଯାଇଥିଲେ। ଘଟଣାର ୩ଦିନ ପରେ ଅର୍ଥାତ ରବିବାର ସାରେ ପ୍ରଶାସନ ପକ୍ଷରୁ ଜବରଦଖଲ ସ୍ଥଳରେ ୧୬୩ଧାରା ଜାରି କରାଯିବା ସହ ସୋମବାର ଜବରଦଖଲ ଉଚ୍ଛେଦ ହେବ ବୋଲି ସୂଚନା ଦିଆଯାଇଥିଲା। ଉଚ୍ଛେଦ ସମୟରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ, ଚାନ୍ଦବାଲି ଏସ୍‌ଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ, ଧାମନଗର ତହସିଲଦାର ପ୍ରଦୀପ କୁମାର ଦାସ, ତିହଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବାବେଳେ ଅଗ୍ନିଶମ ବିଭାଗ ଓ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ନିୟୋଜିତ ଥିଲେ।

Share