Categories: ଫୁରସତ

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ ଦାୟିତ୍ୱ ପ୍ରଧାନ ଶିକ୍ଷକଙ୍କର ହୋଇଥାଏ। ତେବେ ଉତ୍ତରପ୍ରଦେଶର ଉନ୍ନାଓରେ ଏପରି ଏକ ଘଟଣା ସାମ୍‌ନାକୁ ଆସିଛି, ଯେଉଁଥିରେ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଆଚରଣ ସମ୍ପୃକ୍ତ ସ୍କୁଲର ସମ୍ମାନକୁ ହ୍ରାସ କରୁଥିବା ଦେଖାଯାଇଛି। ଉନ୍ନାଓର ବିଘାପୁରସ୍ଥିତ ଦାଦାମଉ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା ସିଂ ବିୟୁଟି ପାର୍ଲର ଚଳାଇଥିଲେ। ସେ ଜଣେ ପାର୍ଲର କର୍ମଚାରୀମାନଙ୍କୁ ଡାକି ସ୍କୁଲର ରୋଷେଇ ଘର ମଧ୍ୟରେ ନିଜର ଫେସିଆଲ କରାଉଥିରେ। ଏହି ସମୟରେ ଅମନ୍‌ ଖାନ୍‌ ନାମକ ଜଣେ ସହକାରୀ ଶିକ୍ଷୟିତ୍ରୀ ସଂଗୀତାଙ୍କୁ ଦେଖି ତାଙ୍କର ଏକ ଭିଡିଓ କରିବା ଆରମ୍ଭ କରିଥିଲେ। ଏହାଦେଖି ପ୍ରଧାନ ଶିକ୍ଷୟିତ୍ରୀ ସଂଗୀତା କ୍ରୋଧିତ ହୋଇ ନିଜ ସାଥୀ ଶିକ୍ଷୟିତ୍ରୀ ଅମନ୍‌ଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତକୁ ଜୋର୍‌ରେ କାମୁଡ଼ି ଦେଇଥିଲେ। ସେହିପରି ଅମନ୍‌ଙ୍କ ହାତରେ ଫୋନ୍‌ ଥିବା ଦେଖି ସଂଗୀତା ଏହାକୁ ଛଡ଼େଇ ନେଇଥିଲେ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସହକାରୀ ଶିକ୍ଷୟିତ୍ରୀ ଅମନ୍‌ ସ୍ଥାନୀୟ ଥାନାରେ ପ୍ରଧାନ ଶିକ୍ଷୟିତ୍ର ସଂଗୀତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି, ଯାହାପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ମିଳିଥିବା ଅଭିଯୋଗ ଅନୁସାରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି ଓ ଏହି ମାମଲାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉନ୍ନାଓ ପୋଲିସ ଏକ୍ସ’ରେ ସୂଚନା ଦେଇଛି।

Share