ଶେରଗଡ଼ରେ ପ୍ରଧାନଶିକ୍ଷକଙ୍କର କରୋନାରେ ମୃତ୍ୟୁ: ଯୋଦ୍ଧା ଭାବେ ଗ୍ରହଣ କରିବାକୁ ଦାବି

ଶେରଗଡ଼,୨୭।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଥୁରୁବୁରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶିଷ୍ଠ କୁମାର ପ୍ରହରାଜଙ୍କର କରୋନାରେ ମଙ୍ଗଳବାର ସାରେ ମୃତ୍ୟୁ ଘଟିଛି। ସେ ଗତ ୧୭ତାରିଖରୁ ସିତଲାପଲି କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୂର୍ବରୁ ପ୍ରହରାଜ ଥୁରୁବୁରାଇ ପ୍ରାଥମିଜ ବିଦ୍ୟାଳୟରେ ହୋଇଥିବା କ୍ୱାରାଣ୍ଟଇନ କେନ୍ଦ୍ରରେ ୨୦ଦିନ କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଥିଲେ। ପରେ ଗତ ୧୨ ତାରିଖରେ ତାଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ୧୬ରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ୧୭ରେ ତାଙ୍କୁ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତାଙ୍କର ମୃତ୍ୟୁ ପରେ ଶେରଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ସମବେଦନା ଜଣାଇବା ସହ ସହାୟତା ରାଶି ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି ବିଇଓ ଭାସ୍କର ଲେଙ୍କା। ସେ ଜଣେ କରୋନା ଯୋଦ୍ଧା ହୋଇଥିବାରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ଶେରଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଫୁଲ କୁମାର ପଣ୍ଡା ଓ କାଳିଚରଣ ଚୌଧୁରୀ ପ୍ରମୁଖ ଦାବି କରିଛନ୍ତି।

Share