ମଧ୍ୟାହ୍ନ ଭୋଜନ ଚାଉଳ ଖାଇଗଲେ ପ୍ରଧାନ ଶିକ୍ଷୟିତ୍ରୀ

ଗୋପାଳପୁର,୭।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ଚାଉଳ ହେର୍‌ଫେର୍‌ ଅଭିଯୋଗରେ ଶନିବାର ପ୍ରଧାନ ଶିକ୍ଷୟିତ୍ରୀ ନମିତା ରାଉତଙ୍କୁ ନିଲମ୍ବିତ କରାଯାଇଛି।

ଦାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ନମିତା କାର୍ଯ୍ୟ କରୁଥିଲେ। ଗତ ୨୮ତାରିଖରେ ବିଇଓ ଡ. ପ୍ରଭାତୀ କୁମାରୀ ମହାପାତ୍ର, ଏବିଇଓ ପ୍ରସନ୍ନ କୁମାର ରଥ ଓ ଅନ୍ୟ ଅଧିକାରୀମାନ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନରେ ଅନିୟମିତତା, କରୋନା ସମୟରେ ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ଖାତାକୁ ଯାଇଥିବା ଟଙ୍କାରେ ଚଞ୍ଚକତା, ବିଦ୍ୟାଳୟରେ ଉନ୍ନତିମୂଳକ କାର୍ଯ୍ୟରେ ବିନିଯୋଗ ହୋଇଥିବା ଟଙ୍କା ବାଟମାରଣା ସାଙ୍ଗକୁ ମଧ୍ୟାହ୍ନ ଭୋଜନ ଚାଉଳ ରେଜିଷ୍ଟ୍ରର ଓ ଷ୍ଟକ୍‌ର ନଥିପତ୍ର ଠିକ୍‌ ଭାବେ ନ ଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି। ଏହି ସବୁ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ବିଇଓ ସୂଚନା ଦେଇଛନ୍ତି।

Share