Categories: ଜାତୀୟ

ଛାତ୍ରଙ୍କ ଆତ୍ମହତ୍ୟା ପରେ ବନ୍ଧା ହେଲେ ପ୍ରଧାନଶିକ୍ଷୟିତ୍ରୀ

ଫରିଦାବାଦ,୨୮।୨: ଗ୍ରେଟର ଫରିଦାବାଦ୍‌ରେ ଏକ ବେସରକାରୀ ସ୍କୁଲର ୧୬ ବର୍ଷୀୟ ଛାତ୍ରଙ୍କ ଆତ୍ମହତ୍ୟାର ୩ ଦିନ ପରେ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ପୋଲିସକୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ନାବାଳକ ତାଙ୍କର ଚରମ ନିଷ୍ପତ୍ତି ଲାଗି ସ୍କୁଲ ଓ ଉଚ୍ଚ ଅଧିକାରୀଙ୍କୁ ଦାୟୀ କରିଛନ୍ତି।

ଫରିଦାବାଦ ପୋଲିସ ପ୍ରବକ୍ତା ସୁବେ ସିଂ କହିଛନ୍ତି, ଅଭିଯୁକ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷାଙ୍କୁ ଗିରଫ କରି ନ୍ୟାୟିକ ହେପାଜତ ପଠାଯାଇଛି। ନୋଟ୍‌ର ଅକ୍ଷରକୁ ଭେରିଫାଏ କରାଯାଇଛି। ଆମେ ସ୍କୁଲ ଅଧିକାରୀଙ୍କୁ ପଚରାଉଚରା କରିବୁ। ପୀଡ଼ିତାଙ୍କ ପରିବାର ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ମଧ୍ୟ ତଦନ୍ତ କରାଯିବ।

ମୃତ ନାବାଳକଙ୍କ ମା’ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ବର୍ଷ ତଳେ ମୋ ପୁଅକୁ ସ୍କୁଲର ଓ୍ବାଶରୁମ୍‌ରେ କିଛି ଛାତ୍ର ଯୌନ ନିର୍ଯାତନା ଦେଇଥିଲେ। ଏଥି ଲାଗି ମୁଁ ସ୍କୁଲ ଅଧିକାରୀଙ୍କ ଆଗରେ ଅଭିଯୋଗ କରିଥିଲି। କିନ୍ତୁ ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ଏଥିଯୋଗୁ ମୋ ପୁଅ ମାନସିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲା। ସେବେଠାରୁ ତାଙ୍କ ଚିକିତ୍ସା ଚାଲିଥିଲା। ବୁଧବାର ତାର ବିଜ୍ଞାନ ପରୀକ୍ଷା ଥିଲା। ଡିସ୍ଲେକ୍ସିଆରେ ପୀଡ଼ିତ ଥିବାରୁ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ସେ ନିଜ ପରିସ୍ଥିତିର ଫାଇଦା ଉଠାଇବାକୁ ଚାହୁଁଥିବା ଅଭିଯୋଗ କରିବା ସହ ପ୍ରଧାନ ଶିକ୍ଷୟିତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ତାଙ୍କୁ ପ୍ରମୋଟ କରିବେ ନାହିଁ ବୋଲି କହିଥିଲେ। ଏଥିଯୋଗୁ ସେ ଦୁଃଖିତ ଓ ଚିନ୍ତିତ ଥିଲେ।

 

Share