ପୁୁରୁଷୋତ୍ତମପୁୁର,୧୪।୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କୁୁମାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗତ ୫ ତାରିଖରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ମିଳି ନ ଥିବା ପ୍ରତିବାଦ କରି ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଖରାରେ ବସି ଆନ୍ଦୋଳନ କରିଥିଲେ। ଏହି ଘଟଣାରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଦୁଇଜଣଙ୍କୁ ନିଲମ୍ବିତ କରିବା ସହ ଦୁଇଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ଛାତ୍ରୀଛାତ୍ରଙ୍କ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହିଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି ଗୁରୁତର ସହ ନେଇ ଗତ ୬ ତାରିଖରେ ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରାଜ୍ୟ ପିଏମ୍ ପୋସନ ନୋଡାଲ ଅଫିସର ଗିରିଶଚନ୍ଦ୍ର ସିଂ ଗତ ୭ ତାରିଖରେ ଚିଠି ନଂ.୨୩୩ରେ ଜିଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ଏହାକୁ ନେଇ ଜିଲା ଶିକ୍ଷା ଅଧିକାରୀ ୭ ତାରିଖରେ ଚିଠି ନଂ.୩୨୦୯ରେ ପୁରୁଷୋତ୍ତମପୁର ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଭିତ୍ତି କରି ବ୍ଲକ ଶିକ୍ଷା ଅଧିକାରୀ ଏସ୍ ଗିରିଧାରୀ ଘଟଣାର ତଦନ୍ତ କରି କୁମାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଟି ଶାନ୍ତିଲତା ପାତ୍ରଙ୍କୁ ଚିଠି ନଂ.୪୭୮ରେ ବୁଧବାର ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷେ ପ୍ରଧାନ ଶିକ୍ଷୟତ୍ରୀ ଜୁଲାଇ ମାସରେ ଅବସର ନେଇଥାନ୍ତେ।
ଏଣୁ ସରକାରୀ ନିୟମ ଅନସାରେ ପ୍ରଧାନ ଶିକ୍ଷୟତ୍ରୀ ଅବସରର ୬ମାସ ପୂର୍ବରୁ ବିଦ୍ୟାଳୟର ବରିଷ୍ଟ ଶିକ୍ଷକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାର ନିୟମ ରହିଥିବା ବେଳେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଅନ୍ୟପକ୍ଷେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମିଥ୍ୟାରେ ବ୍ଲକଶିକ୍ଷା ଅଧିକାରୀଙ୍କ ପରିଚୟ ଦେଇ ଫୋନ କରିବା ଘଟଣାରେ ଅନ୍ତରିଗାଁ ପ୍ରାଥମିକ ବିଦ୍ୟାଳୟର ସହକାରୀଶିକ୍ଷକ ନିନ୍ୟାନନ୍ଦ ବେହେରାଙ୍କୁ ଚିଠି ନଂ.୪୮୩ରେ ନିଲମ୍ବିତ କରାଯାଇଛି।
ଏହାସହ ଏହି ଘଟଣାରେ ଭିଡିଓ ସୋସିଆଲ ମିଡ଼ିଆ ଗ୍ରୁପରେ ପଠାଇଥିବା ନେଇ ବ୍ଲକଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ପିଅନ ଗ୍ରୀଷ୍ମକାନ୍ତ ତ୍ରୀପାଠୀଙ୍କୁ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସୀମାଞ୍ଚଳ ରଥଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ୩ଜଣ ଶିକ୍ଷକଙ୍କୁ ତାଗିତ କରାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ଏସ୍ ଗିରିଧର ସୂଚନା ଦେଇଛନ୍ତି। ଏପରିକି ସମସ୍ତ ତଦନ୍ତ ରିପୋର୍ଟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ପଠାଯାଇ ଦେଇଥିବା ସେ କହିଛନ୍ତି।