Advertisement

ହେଡ୍‌ଙ୍କ ଶତକ: ବଡ଼ ସ୍କୋର ଆଗରେ ଅଷ୍ଟ୍ରେଲିଆ

ଲଣ୍ଡନ,୭।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲ୍ୟୁଟିସି)ର ଫାଇନାଲ ଦି ଓଭାଲ ଗ୍ରାଉଣ୍ଡରେ ବୁଧବାର ଆରମ୍ଭ ହୋଇଯାଇଛି। ଟ୍ରାଭିସ ହେଡ୍‌ଙ୍କ ଶତକ ଏବଂ ଷ୍ଟିଭେନ୍‌ ସ୍ମିଥଙ୍କ ଦୃଢ଼ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ବଡ଼ ସ୍କୋର ଦିଗରେ ଅଗ୍ରସର ହୋଇଛି। ଅଷ୍ଟ୍ରେଲିଆ ୮୩ ଓଭରରେ ୩ ଉଇକେଟ ହରାଇ ୩୧୧ ରନ୍‌ କରିଛି। ହେଡ୍‌ ୧୩୮ ଓ ସ୍ମିଥ ୯୧ ରନରେ ଅପରାଜିତ ରହିଛନ୍ତି।

ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଆରମ୍ଭରେ ଭାରତକୁ ଏହାର ସୁଫଳ ମିଳିଥିଲା। ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସି ମାତ୍ର ୨ ରନ୍‌ରେ ପ୍ରଥମ ଉଇକେଟ ହରାଇ ଥିଲା। ୪ର୍ଥ ଓଭରର ତୃତୀୟ ବଲ୍‌ରେ ଉସମାନ ଖ୍ବାଜାଙ୍କୁ ଆଉଟ୍‌ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟ୍‌କା ଦେଇଥିଲେ ମହମ୍ମଦ ସିରାଜ।

ଡେଭିଡ୍‌ ଓ୍ବାର୍ନର ଓ ମାର୍ନସ ଲାବୁସେନ ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ। ଦ୍ୱିତୀୟ ଉଇକେଟରେ ଦୁହେଁ ୬୯ ରନ୍‌ କରିଥିଲେ। ଓ୍ବାର୍ନର ଅର୍ଦ୍ଧଶତକ ହାସଲଠାରୁ ୭ ରନ ଦୂରରେ ଥିବାବେଳେ ବ୍ୟକ୍ତିଗତ ୪୩ ରନ କରି ଆଉଟ ହୋଇଥିଲେ। କିଛି ସମୟ ପରେ ଲାବୁସେନଙ୍କୁ ମହମ୍ମଦ ଶାମି ଆଉଟ କରି କରିଥିଲେ। ଫଳରେ ୭୬ ରନ୍‌ରେ ଅଷ୍ଟ୍ରେଲିଆ ତୃତୀୟ ଉଇକେଟ ହରାଇ ସଂକଟରେ ପଡ଼ିଥିଲା।

ହେଲେ ଷ୍ଟିଭେନ୍‌ ସ୍ମିଥ ଏବଂ ଟ୍ରାଭିସ ହେଡ୍‌ କ୍ରିଜରେ ଯୋଗଦେବା ପରେ ଦଳର ସ୍ଥିତି ବଦଳି ଯାଇଥିଲା। ସ୍ମିଥ ଧର୍ଯ୍ୟର ସହ ଇନିଂସକୁ ଆଗକୁ ନେଇଥିବା ବେଳେ ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଭାରତୀୟ ବୋଲରଙ୍କୁ ମୁକାବିଲା କରି ଅଷ୍ଟ୍ରେଲିଆକୁ ଦୃଢ଼ ସ୍ଥିତିକୁ ଆଣିଥିଲେ। ୧୦୬ ବଲ୍‌ରୁ ସେ ଟେଷ୍ଟ କ୍ରିକେଟରେ ୬ଷ୍ଠ ଶତକ ପୂରଣ କରିଥିଲେ। ଡବ୍ଲ୍ୟୁଟିସି ଫାଇନାଲରେ ହେଡ୍‌ଙ୍କ ପ୍ରଥମ ଶତକ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share