ଉପକାରୀ ଡାଲଚିନି

ଡାଲଚିନିକୁ ସାଧାରଣତଃ ଏକ ମସଲା ଦ୍ରବ୍ୟ ଭାବେ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାର ସେବନ ଦ୍ୱାରା ଶରୀରକୁ କ’ଣ ସବୁ ଉପକାର ମିଳିଥାଏ ସେ ବିଷୟରେ ଅନେକେ ଅଜ୍ଞ ଥାଆନ୍ତି। କୁହାଯାଏ, ପେଟ ଦରଜ ଥିଲେ କିମ୍ବା ବଦହଜମି ଯୋଗୁ ଛାତି ଜଳାପୋଡା ହେଉଥିଲେ ସମାନ ପରିମାଣର ଡାଲଚିନି, ସୁଣ୍ଠି, ଜିରା ଏବଂ ଅଳେଇଚକୁ ନେଇ ତାକୁ ଭଲ ଭାବେ ଗୁଣ୍ଡ କରି ଗରମ ପାଣି ସହ ସେବନ କଲେ ଏ ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ। ସେହିପରି ଅଳ୍ପ କିଛି ଡାଲଚିନି ଗୁଣ୍ଡକୁ ପାଣିରେ ଫୁଟାଇ ସେଥିରେ କିଛି ଗୋଲମରିଚ ଗୁଣ୍ଡ ଓ ମହୁ ମିଶାଇ ପିଇଲେ ଥଣ୍ଡା, କାଶ ତଥା ତଣ୍ଟି ଗତଗତ ହେବା ସମସ୍ୟାରୁ ଉପଶମ ମିଳିଥାଏ। ପ୍ରସବ ପରେ ଏକ ମାସ ଧରି ପ୍ରତିଦିନ କିଛି କିଛି ଡାଲଚିନି ଚୋବାଇ ଖାଇଲେ ଅସାବଧାନତା ଯୋଗୁ ପୂନର୍ବାର ଗର୍ଭଧାରଣ କରିବାର ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଅନେକଙ୍କର ବିଶ୍ୱାସ ରହିଛି। ତା’ଛଡ଼ା ଡାଲଚିନି ଖାଇବା ଦ୍ୱାରା ମା’ମାନଙ୍କର କ୍ଷୀର ମଧ୍ୟ ଭଲ ହୋଇଥାଏ। ଖାଦ୍ୟର ସ୍ବାଦ ବଢାଇବାରେ ମଧ୍ୟ ଡାଲଚିନିର ବିଶେଷ ଭୂମିକା ରହିଥାଏ। ପାଟି ଦୁର୍ଗନ୍ଧ ହେଉଥିଲେ କିମ୍ବା ଦାନ୍ତ ଦରଜ ଥିଲେ ଡାଲଚିନିକୁ ଧୀରେ ଧୀରେ ଚୋବାଇ ଖାଇଲେ ସାମାନ୍ୟ ଉପଶମ ମିଳିଥାଏ।