ନୂଆଦିଲ୍ଲୀ,୨୦।୧୨: ଦେଶବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତିବର୍ଷ ବଜେଟରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। ହେଲେ ବାସ୍ତବରେ ଉକ୍ତ ଅର୍ଥ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିପରି ବିନିଯୋଗ ହେଉଛି, ସେ ସବୁ ବିଷୟରେ କାହା ପାଖରେ ସଠିକ ସୂଚନା ନାହିଁ। ଫଳରେ କୋଭିଡ୍ ସମୟରେ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ରର ଅସଲ ଚିତ୍ର ସମ୍ପର୍କରେ ଦେଶବାସୀ ଏପରିକି ସରକାର ଅବଗତ ହୋଇଛନ୍ତି। ଏଭଳି ସମୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଓ ନୀତି ଆୟୋଗଙ୍କ ଏକ ରିପୋର୍ଟ ଦେଶର ସ୍ବାସ୍ଥ୍ୟସେବା ଅବ୍ୟବସ୍ଥାର ବାସ୍ତବ ସତକୁ ପରିପ୍ରକାଶ କରିଛି। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚିକିତ୍ସା ଅଭାବ ଓ ଆବଶ୍ୟକତା ସମୟରେ ଚିକିତ୍ସା ନ ପାଇବା ଯୋଗୁ ୩୦%ରୁ ଅଧିକ ରୋଗୀ ମୃତ୍ୟୁଙ୍କ ହେଉଥିବା କୁହାଯାଇଛି। ନିକଟରେ ଦିଲ୍ଲୀ ଏମ୍ସ ଓ ନୀତି ଆୟୋଗ ଦେଶର ୨୯ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ୧୦୦ରୁ ଊର୍ଦ୍ଧ୍ୱ ବଡ଼ ହସ୍ପିଟାଲ ଓ ଜିଲା ହସ୍ପିଟାଲରେ ଉପଲବ୍ଧ ସ୍ବାସ୍ଥ୍ୟସେବା ଏବଂ ବିଭିନ୍ନ ସୁବିଧା ପ୍ରଦାନକୁ ନେଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟରେ ଏହିସବୁ ହସ୍ପିଟାଲମାନଙ୍କ ଜରୁରିକାଳୀନ ୱାର୍ଡକୁ ଆସିଥିବା ୩୦% ରୋଗୀ ଆବଶ୍ୟକ ସମୟରେ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡିଥିବା ଜଣାପଡିଛି। ଏହା ଛଡା ଜରୁରିକାଳୀନ ବିଭାଗରେ ଅଧିକାଂଶ ଚିକିତ୍ସା ଅର୍ଥପେଡିକ୍ ସର୍ଜନଙ୍କ ଦ୍ୱାରା କରାଯାଉଛି। ସେହିପରି ଦୁର୍ଘଟଣା ଓ ସଡ଼କ ଦୁର୍ଘଟଣାରେ ଆହତ ରୋଗୀ ମଧ୍ୟ ଜରୁରିକାଳୀନ ଚିକିତ୍ସା ପ୍ରଦାନ ପରେ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଅପରପକ୍ଷରେ ସ୍ବାସ୍ଥ୍ୟଗତ ଜଟିଳତା ଲାଗି ଆସୁଥିବା ରୋଗୀ ମଧ୍ୟ ଡାକ୍ତରଙ୍କ ଅଭାବରୁ ମୃତ୍ୟୁମୁଖରେ ପଡୁଥିବା ଜଣାପଡିଛି। ଏତଦ୍ବ୍ୟତୀତ ଦେଶର ମାତ୍ର ୯% ହସ୍ପିଟାଲରେ ଜରୁରିକାଳୀନ ବିଭାଗରେ ଆବଶ୍ୟକ ଔଷଧ ଉପଲବ୍ଧ ରହୁଥିବା ବେଳେ ଅନ୍ୟ ହସ୍ପିଟାଲମାନଙ୍କରେ ରହୁନଥିବା ଜଣାପଡିଛି। ଏପରିକି ଅନେକ ହସ୍ପିଟାଲରେ ଟ୍ରମା ସର୍ଜନ ମଧ୍ୟ ନାହାନ୍ତି। ତେବେ ୯୧% ହସ୍ପିଟାଲରେ ଜରୁରିକାଳୀନ ସେବା ଯୋଗାଇବା ଲାଗି ଆମ୍ବୁଲାନ୍ସ ଉପଲବ୍ଧ ହେଉଥିବା ବେଳେ ଏଥିରୁ ୩୪% ଗାଡ଼ିରେ ପ୍ରଶିକ୍ଷିତ ଅର୍ଦ୍ଧ ଚିକିତ୍ସକୀୟ କର୍ମଚାରୀ ରହୁଛନ୍ତି। ରିପୋର୍ଟରେ ହସ୍ପିଟାଲଗୁଡ଼ିକ ଲାଗି ଜରୁରୀ ମେଡିସିନ ୱାର୍ଡ ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ଏହି ରିପୋର୍ଟ ଅନୁସାରେ ଦେଶର ଅଧିକାଂଶ ଜରୁରିକାଳୀନ ମାମଲା ଏବେ ଘରୋଇ ହସ୍ପିଟାଲକୁ ଯାଉଛି। ଘରୋଇ ହସ୍ପିଟାଲମାନଙ୍କୁ ୩୧ରୁ ୩୯% ମାମଲା ପହଞ୍ଚୁଥିବା ବେଳେ ସରକାରୀ ହସ୍ପିଟାଲକୁ ମାତ୍ର ୧୯ରୁ ୨୪% ମାମଲା ପହଞ୍ଚୁଛି। ଦେଶର ହସ୍ପିଟାଲଗୁଡ଼ିକରେ ଉପଲବ୍ଧ ବେଡ୍ ମଧ୍ୟରୁ ମାତ୍ର ୩% ଜରୁରିକାଳୀନ ରୋଗୀଙ୍କ ଲାଗି ସଂରକ୍ଷିତ ରଖିବାକୁ ଏହା ପୂର୍ବରୁ ଏମ୍ସ ତାଙ୍କର ଏକ ରିପୋର୍ଟରେ ସୂଚିତ କରିଥିଲେ।