ଏସ୍‌ସିବିରେ ପାଳନ ହେଉନି ସ୍ବାସ୍ଥ୍ୟ ବିଭାଗ ନିୟମ

କଟକ,୫ା୮(ଶିଳ୍ପା ପ୍ରିୟଦର୍ଶିନୀ): ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ (ଏସ୍‌ସିବି)ମେଡିକାଲର ବିଭିନ୍ନ ସ୍ଥାନରେ ପାନ, ଗୁଟ୍‌ଖା ଛେପ ନ ପକାଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନିୟମ ଲାଗୁ କରାଯାଇଥିଲା। ଏହି ନିୟମ ନ ମାନିଲେ ଜରିମାନା ଆଦାୟ ପାଇଁ କୁହାଯାଇଥିଲା। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ରସିଦ୍‌ ବହି ମଧ୍ୟ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ହେଲେ ଏହି ନିୟମକୁ ମେଡିକାଲ କର୍ତ୍ତୃପକ୍ଷ ପାଳନ କରୁ ନ ଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ମେଡିକାଲ ପରିସରରେ କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ପାନ୍‌, ଗୁଟ୍‌ଖା ଖାଇ ଛେପ ଏଣେତେଣେ ପକାଉଛନ୍ତି। ଏହାଦ୍ୱାରା ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଫଳରେ ପ୍ରଥମେ ମେଡିକାଲ କର୍ମଚାରୀଙ୍କୁ ସୁଧାରିବା ପାଇଁ ଗତବର୍ଷ ମେଡିକାଲ ପକ୍ଷରୁ ଏକ ନୋଟିସ୍‌ ଜାରି କରାଯାଇଥିଲା। ଯେଉଁ କର୍ମଚାରୀ ପାନ, ଗୁଟ୍‌ଖା ଓ ସିଗାରେଟ ଖାଇବା ସମୟରେ ଧରାପଡିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ଉଲ୍ଲେଖ କରାଯାଇଥିଲା। ଏହାପରେ ମେଡିକାଲରେ ପାନ, ଗୁଟ୍‌ଖା ଖାଇବା ବନ୍ଦ ହୋଇଯାଇଥିଲା। ହେଲେ କିଛିଦିନ ବ୍ୟବଧାନ ପରେ କର୍ମଚାରୀମାନେ ଲୁଚାଛପାରେ ପୁଣି ମେଡିକାଲ ପରିସରରେ ପାନ୍‌, ଗୁଟ୍‌ଖା ଖାଇ ଛେପ ପକାଇଲେ। ଫଳରେ କିଛି ମାସ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ରସିଦ୍‌ ବହି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା। ସହାୟତା କେନ୍ଦ୍ରରେ କାମ କରୁଥିବା କର୍ମଚାରୀ ଏସ୍‌ସିବିର କର୍ମଚାରୀଙ୍କୁ ଯାଞ୍ଚ କରିବେ। ଯଦି କେହି ପାନ, ଗୁଟ୍‌ଖା ଓ ସିଗାରେଟ୍‌ ଖାଆନ୍ତି ତା’ହେଲେ ଚାଲାଣ କଟାଯିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏନେଇ ମେଡିକାଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମେଡିକାଲରେ ଏହି ନିୟମ ପାଳନ କରାଯାଇଥିଲା, କିନ୍ତୁ ଚାଲାଣ କାଟିବା ସଂଖ୍ୟା ବଢିଲା। କେବଳ ମେଡିକାଲ କର୍ମଚାରୀ ନୁହଁନ୍ତି ରୋଗୀ ସମ୍ପର୍କୀୟଙ୍କଠାରୁ ଚାଲାଣ କଟାଯାଇଛି। ଚିକିତ୍ସା ପାଇଁ ମେଡିକାଲ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କଠାରୁ ଜରିମାନା ଆଦାୟ କରିବା କଷ୍ଟକର ହୋଇପଡୁଥିଲା। ସେଥିପାଇଁ ଏହି ଚାଲାଣ କଟାଯିବା ବ୍ୟବସ୍ଥା ବନ୍ଦ କରାଯାଇଛି। ଏନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।