ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ: ବଳାତ୍କାର ପୀଡିତାଙ୍କ ତୁରନ୍ତ ସ୍ବାସ୍ଥ୍ୟ ଯାଞ୍ଚ୍‌ କର

ଭୁବନେଶ୍ୱର, ୨।୭(ଅସମାପିକା ସାହୁ):ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ୧୮୪ ଧାରା ଅନୁସାରେ ବଳାତ୍କାର କିମ୍ବା ବଳାତ୍କାର ଉଦ୍ୟମର ଶିକାର ହୋଇଥିବା ମହିଳାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବଳାତ୍କାର ହୋଇଥିବା କିମ୍ବା ବଳାତ୍କାର ଉଦ୍ୟମ ହୋଇଥିବା କୌଣସି ମହିଳାଙ୍କୁ ପୋଲିସ କୌଣସି ସରକାରୀ କିମ୍ବା ଘରୋଇ ହସ୍ପିଟାଲ ଡାକ୍ତରଙ୍କ ପାଖକୁ ଆଣିଲେ ତୁରନ୍ତ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯିବ। ଏଥିସହ ଚିକିତ୍ସା ପୂର୍ବରୁ ପୀଡ଼ିତା କିମ୍ବା ତାଙ୍କର ନିକଟ ସମ୍ପର୍କୀୟଙ୍କ ଠାରୁ ଅନୁମତି ଲୋଡ଼ାଯିବାର ଆବଶ୍ୟକତା ରହିଛି। ଯଦି ସ୍ବାସ୍ଥ୍ୟ ଯାଞ୍ଚରେ ବିଳମ୍ବ ହୁଏ, ତେବେ ତାହାର କାରଣ ରେଜିଷ୍ଟର ଏବଂ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ କରିବା ପାଇଁ କୁହାଯାଇଛି। ରିପୋର୍ଟରେ ସ୍ବାସ୍ଥ୍ୟ ଯାଞ୍ଚର ଠିକ୍‌ ସମୟ ଲେଖିବା ପାଇଁ ମଧ୍ୟ କୁହାଯାଇଛି। ପୀଡ଼ିତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ହେବାର ୭ଦିନ ମଧ୍ୟରେ ତଦନ୍ତ ଅଧିକାରୀଙ୍କ ନିକଟରେ ଦାଖଲ କରିବେ। ଯଦି ପୀଡ଼ିତାଙ୍କ ବୟସ ୧୨ବର୍ଷରୁ କମ୍‌ ହୋଇଥିବ, ତେବେ ଚିକିତ୍ସା ପାଇଁ ତାଙ୍କ ମାତାପିତା ବା ଅଭିଭାବକଙ୍କ ଅନୁମତି ନେବାର ଆବଶ୍ୟକତା ରହିଛି। ସମସ୍ତ ସରକାରୀ, ବେସରକାରୀ ଡାକ୍ତର ଏବଂ ପଞ୍ଜୀକୃତ ଚିକିତ୍ସାଧିକାରୀମାନେ ଏହାକୁ ପାଳନ କରିବା ପାଇଁ କୁହାଯାଇଛି।

Share