ଭୁବନେଶ୍ବର,୨୧।୧(ବ୍ୟୁରୋ): ରାଜ୍ୟରେ କୋଭିଡ୍ ସଂକ୍ରମଣ କମିବା ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଆମର ଟେଷ୍ଟିଂ କମି ନାହିଁ । ଗାଇଡ୍ଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି ବୋଲି ସେ କହିଛନ୍ତି। ଆହୁରି କହିଛନ୍ତି ଆକ୍ଟିଭ କେସରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିବାର ଦୁଇଟି କାରଣ ରହିଛି । ଗୋଟିଏ ହେଲା, ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ୍ ବାହାରୁଛନ୍ତି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ୱିତୀୟରେ ଧୀରେ ଧୀରେ ସଂକ୍ରମଣ ତଳମୁହାଁ ହେଉଛି । ଏହି ତଳମୁହାଁ କେତେଦିନ ରହୁଛି, ଆଉ ୪-୫ ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ ପିକ୍ରେ ପହଞ୍ଚିଗଲେ ବୋଲି କହି ହେବନି। ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୯,୮୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେବେ ଗତ କାଲିଠାରୁ ଆଜି ସଂକ୍ରମଣ ହ୍ରାସ ପାଇଛି।