ବଢୁଛି ସୁସ୍ଥହାର, କମୁଛନ୍ତି ଆକ୍ରାନ୍ତ

କଟକ ଅଫିସ,୧୭।୮: କଟକ ଜିଲାରେ ଆରୋଗ୍ୟ ହାର ବଢୁଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଏହି ତଥ୍ୟ ଅଧିକ ଉତ୍ସାହ ଭରିବ ବୋଲି ଜିଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି। ଟେଷ୍ଟିଂ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅଗଷ୍ଟ ୨ରୁ ୮ ଭିତରେ ୧୩ ହଜାର ୧୨୪ଟି ଟେଷ୍ଟିଂ ହୋଇଥିବା ବେଳେ ୮୮୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। କିନ୍ତୁ ଅଗଷ୍ଟ ୯ରୁ ୧୫ ଭିତରେ ୧୭ ହଜାର ୪୩୫ଟି ପରୀକ୍ଷାରୁ ୮୦୬ ଜଣ ପଜିଟିଭ୍‌ ବାହାରିଛନ୍ତି।
ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଜିଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଗ୍ରାମାଞ୍ଚଳରେ ୧୫୧୮ (୪୦.୫୧%) ଓ ସହରାଞ୍ଚଳରେ ୨୨୨୯ (୫୯.୪୯%) ଜଣ ଆକ୍ରାନ୍ତ ରହିଛନ୍ତି। ଗତ ସପ୍ତାହରେ ଗ୍ରାମାଞ୍ଚଳରେ ୪୬.୯ ଓ ସହରାଞ୍ଚଳରେ ୫୩.୧ ପ୍ରତିଶତ ଆକ୍ରାନ୍ତ ଥିଲେ। ଜିଲାରେ ସୁସ୍ଥ ହାର ୭୨.୧୬ ପ୍ରତିଶତ ରହିଛି। ପୂର୍ବ ସପ୍ତାହରେ ଏହା ୬୬.୦୩ ପ୍ରତିଶତ ଥିଲା। ସେହିଭଳି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମିଛି। ବର୍ତ୍ତମାନ ଏହାର ହାର ୩୩.୯୯ରୁ ଖସି ୨୭.୨୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୫୪,୮୮୪ଟି ଟେଷ୍ଟ କରାଯାଇଛି। ଏଥିରେ ୩୮,୪୮୮ ଆର୍‌ଟି-ପିସିଆର୍‌ ଓ ୧୬,୩୯୬ଟି ଆଣ୍ଟିଜେନ୍‌ ଟେଷ୍ଟ ରହିଛି। ମୋଟ ଟେଷ୍ଟରୁ ୩,୭୪୭ ରିପୋର୍ଟ ପଜିଟିଭ୍‌ ରହିଥିଲା। ଅନ୍ୟପକ୍ଷରେ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ୪୭ ପ୍ରତିଶତ ବେଡ୍‌ ଖାଲି ଥିବାବେଳେ ଜିମ୍‌ସାର୍‌ ସ୍ବତନ୍ତ୍ର କୋଭିଡ୍‌ କେୟାର ସେଣ୍ଟରରେ ୩୫ ପ୍ରତିଶତ ବେଡ୍‌ ଖାଲି ପଡ଼ିଛି। ଗ୍ରାମାଞ୍ଚଳର ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୦ଟି ବେଡ୍‌ ଥିବାବେଳେ ୪୫ ପ୍ରତିଶତ ଭର୍ତ୍ତି ହୋଇଛି। ସମସ୍ତ ୩୪ ଆଇସିୟୁ ଭର୍ତ୍ତି ହୋଇଯାଇଥିବା ବେଳେ ୨୦ରୁ ୧୮ଟି ଭେଣ୍ଟିଲେଟର୍‌ ବର୍ତ୍ତମାନ ବ୍ୟବହାର ହେଉଥିବା ଜିଲାପାଳ ଚୟନୀ ସୂଚନା ଦେଇଛନ୍ତି।
ଜିଲାର ୩୩୨ଜଣ କୋଭିଡ୍‌ ଯୋଦ୍ଧା କରୋନା ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ମାତ୍ର ୭୪ ଜଣ ଚିକିତ୍ସିତ ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୩୦ ଜଣ ଡାକ୍ତର, ୪୧ ଜଣ ନର୍ସ, ୩ ଆଶାକର୍ମୀ, ୪ ଜଣ ଫାର୍ମାସିଷ୍ଟ, ୬ ଜଣ ଟେକ୍ନିସିଆନ୍‌, ୧୪୪ ଜଣ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌, ପୋଲିସ ଓ ଟ୍ରାଫିକ କର୍ମଚାରୀ ଏବଂ ଅନ୍ୟ ୧୦୪ ଜଣ ରହିଛନ୍ତି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ୩୯ ଜଣ କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ୬ ଡାକ୍ତର, ୫ ଅଗ୍ନିଶମ କର୍ମଚାରୀ, ଜଣେ ପୋଲିସ କର୍ମଚାରୀ, ୩ ଫାର୍ମାସିଷ୍ଟ, ୨ ଟେକ୍ନିସିଆନ୍‌, ୩ ନର୍ସ, ୩ ଏଏନ୍‌ଏମ୍‌, ୨ ପିଏଚ୍‌ଇଓ, ୨ ଆଶାକର୍ମୀ, ଜଣେ ଆଟେଣ୍ଡାଣ୍ଟ, ୬ ପରିମଳ କର୍ମଚାରୀ, ଜଣେ ଆମ୍ବୁଲାନ୍ସ ଚାଳକ, ଜଣେ ସିକ୍ୟୁରିଟି ଓ ୩ ଜଣ ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି। କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ଟେଷ୍ଟିଂ ବଢ଼ାଯିବ ବୋଲି ଜିଳାପାଳ ଚୟନୀ କହିଛନ୍ତି।

Share