‘ରୋଷେୟା ମୃତ୍ୟୁର ତଦନ୍ତକୁ ଡରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ’

ଝାରସୁଗୁଡ଼ା ଅଫିସ୍‌,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପର୍ଦ୍ଦାଫାଶ କରିବା ପାଇଁ ଜିଲା ଭାଜପା ପ୍ରଥମରୁ ଦାବି କରିଆସୁଛି। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସହଯୋଗ ନ କରି ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଧରି ଘଟଣାକୁ ଚାପିଦେବା ପାଇଁ ପ୍ରୟାସ ଚଳାଇଛନ୍ତି। ଏଭଳି ସ୍ଥିତିରେ ସେ ନିଜେ ଆଇନ ଉଲ୍ଲଂଘନ କରିଚାଲିଥିବା ବେଳେ ଗଣମାଧ୍ୟମକୁ କହିଛନ୍ତି, ଆଇନକୁ ତା’ ବାଟରେ ଯିବା ପାଇଁ ଦିଅ । ଏହା କହିବା ମନ୍ତ୍ରୀଙ୍କ ପକ୍ଷେ ହାସ୍ୟାସ୍ପଦ ବୋଲି ଭାଜପା ଅଭିଯୋଗ କରିଛି। ଯଦି ଏଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ତା’ହେଲେ ସେ କାହିଁକି ତଦନ୍ତକୁ ଡରୁଛନ୍ତି ବୋଲି ଭାଜପା ପ୍ରଶ୍ନ କରିଛି ।

ରୋଷେୟଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଭାଜପା ପକ୍ଷରୁ ରବିବାର ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଏହାକୁ ମନ୍ତ୍ରୀଙ୍କ ଲୋକମାନେ ଉଦ୍ଦେଶ୍ୟମୂଳକଭାବେ ଜାଣିଶୁଣି ବିରୋଧକରି ଭଣ୍ଡୁର କରିଛନ୍ତି। ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ନ୍ୟାୟ ପାଇବା ପାଇଁ ଗଣତାନ୍ତ୍ରିକ ଭାବେ ସମସ୍ତଙ୍କ ଆନ୍ଦୋଳନ କରିବାର ଅଧିକାର ରହିଛି। ହେଲେ ଏଠାରେ ପୋଲିସ ୧୪୪ ଧାରା ଜାରି କରି ଏହାକୁ ରୋକିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଭାଜପା ଅଭିଯୋଗ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି, ସମାଜରେ ନାରୀଙ୍କୁ ସଦସର୍ବଦା ସମ୍ମାନ ଦିଏ । ହେଲେ ଝାରସୁଗୁଡ଼ାରେ ବିଜେଡି ନେତା ଓ କର୍ମୀମାନେ ମହିଳାଙ୍କ ଉପରକୁ ଲାଠି ଓ ଟମାଟୋ ମାଡ଼କରି ଆକ୍ରମଣ କରିବା ଏହା କ’ଣ ନାରୀଙ୍କୁ ସମ୍ମାନ ବୋଲି ଭାଜପା ପ୍ରଶ୍ନ କରିଛି। ବିଜେଡିର ଏଭଳି କାର୍ଯ୍ୟକଳାପକୁ ଜିଲା ଭାଜପା ନିନ୍ଦା କରିଛି। ଏଭଳି ସ୍ଥିତିରେ ବିରୋଧୀଙ୍କ ବିରୋଧ ସତ୍ତ୍ୱେ ଜିଲା ଭାଜପା ମୃତ ରୋଷେୟାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ଲଢ଼େଇ ଜାରି ରଖିବ ବୋଲି ଭାଜପା ଜିଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କୁହାଯାଇଛି। ଏଥିରେ ଭାଜପା ନେତା ଦୀନେଶ ଜୈନ, ତ୍ରିନାଥ ଗୁଆଲ, ମହେନ୍ଦ୍ର କେଡ଼ିଆ, ଗୋପାଳ ପଟେଲ, ମମତା ସାହୁ, ଯମୁନା ସୁନାନୀ ଓ ମମତା ବେହେରା ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।