ନୂଆଦିଲ୍ଲୀ,୨୦।୬: ଦେଶର ଅନେକ ଅଞ୍ଚଳରେ ଭୀଷଣ ଗରମ ହେତୁ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ଅଶୁଂଘାତ ଜନିତ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଦିଲ୍ଲୀରେ ଏକ ବୈଠକ କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ବୈଠକରେ ଜନସ୍ବାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ସମସ୍ତ ବଡ ବଡ ଅଧିକାରୀ ଉପସ୍ଥିତ ଥିଲେ।
ସୂଚନା ଅନୁଯାୟୀ, ଏନଆଇଟିଆଇ ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଭି.କେ ପାଲ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ର ମହାନିର୍ଦ୍ଦେଶକ ରାଜୀବ ବହଲ ଏବଂ ଭାରତ ପାଣିପାଗ ବିଭାଗ (ଆଇଏମଡି)ର ଅଧିକାରୀ ତଥା ଅନ୍ୟାନ୍ୟ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ।
ଉଚ୍ଚସ୍ତରୀୟ ବୈଠକ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟରୁ ପ୍ରବଳ ଗରମ ଏବଂ ଅଶୁଂଘାତ ଜନିତ ଖବର ଆସୁଛି। ମଙ୍ଗଳବାର ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁ ରାଜ୍ୟରେ ହିଟ୍ ଓ୍ବେବ୍ ଜାରି ରହିଛି, ସେ ସବୁ ରାଜ୍ୟକୁ ସହଯୋଗ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଆଇଏମଡି, ବିପର୍ଯ୍ୟୟ ପରିଚାଳନା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀଙ୍କ ଟିମ୍ ଯିବ।