ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚେତାବନୀ, ବିଦେଶରେ ବଢୁଛି କରୋନା ସଂକ୍ରମଣ…

ନୂଆଦିଲ୍ଲୀ,୧୭।୩ : ଚାଇନା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ଏବଂ ତଦାରଖ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିସ୍ଥିତିର ସମୀକ୍ଷା କରି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଦେଶରେ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯିବା ଉଚିତ ଏବଂ ଜିନୋମ ସିକ୍ୱେନ୍ସିଂ ଏକ ବୃହତ ସ୍ତରରେ କରାଯିବା ଉଚିତ। ଜେନୋମ ସିକ୍ୱେନ୍ସିଂ ଦ୍ୱାରା ଏହା ନିଶ୍ଚିତ ହୋଇପାରିବ ଯେ କରୋନା ଭାଇରସ କୌ ଣସି ନୂତନ ରୂପ ନେଇଛି କି ନାହିଁ।

ଉଚ୍ଚସ୍ତରୀୟ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ଦେଶରେ ମହାମାରୀର ପରିସ୍ଥିତିର ସମୀକ୍ଷା କରିଥିଲେ। ମାର୍ଚ୍ଚ ୨୭ ରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସମ୍ପର୍କରେ ସେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତେବେ ଏ ବାବଦରେ ପୂର୍ବରୁ ଦିଆଯାଇଥିବା ଆଦେଶ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନିଆଯାଇ ନାହିଁ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପଡୋଶୀ ଦେଶ ବିଶେଷ କରି ଚାଇନା, ସିଙ୍ଗାପୁର, ଭିଏତନାମ ଏବଂ ୟୁରୋପରେ କରୋନାର ନୂତନ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି, ତେଣୁ ଏହି ସମୀକ୍ଷା ବୈଠକ ଡକାଯାଇଥିଲା।

Share