ବେଲପାହାଡ଼ରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ

ଝାରସୁଗୁଡ଼ା ଅଫିସ,୩।୨: ଝାରସୁଗୁଡ଼ା ଜିଲା ବେଲପାହାଡ଼ରେ ଅବହେଳିତ ସ୍ବାସ୍ଥ୍ୟସେବାକୁ ନେଇ ସ୍ଥାନୀୟ ଯୁବ କଂଗ୍ରେସ ପକ୍ଷରୁ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି ।

ବେଲପାହାଡ଼ ଗୁମାଡେରାରେ ଏକ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗଦେବା ପାଇଁ ଆସୁଥିଲେ। ସେତିକିବେଳେ ପୂର୍ବରୁ ପ୍ରସ୍ତୁତି ରହିଥିବା ସ୍ଥାନୀୟ ଯୁବ କଂଗ୍ରେସର କର୍ମକର୍ତ୍ତା ରାସ୍ତାକୁ ଚାଲିଆସି କଳାପତାକା ଦେଖାଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗ୍ରସ୍ତକୁ ବିରୋଧ କରି ବିଭିନ୍ନ ଶ୍ଲୋଗାନ ଦେଇ ନାରାବାଜି କରିଥିଲେ।

ଏହି ଅବସରରେ ଯୁବ କଂଗ୍ରେସ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ବେଲପାହାଡ଼ରେ ଏକ ଡାକ୍ତରଖାନା ରହିଛି । ହେଲେ ଏଠାରେ ଆବଶ୍ୟକୀୟ ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ନାହାଁନ୍ତି। ଫଳରେ ଚିକିତ୍ସା ପାଇଁ ଲୋକେ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଏନେଇ ଲୋକେ ଅଧିକ ଖର୍ଚ୍ଚାନ୍ତ ହୋଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଝାରସୁଗଡ଼ା ଜିଲାରେ ଉତ୍ତମ ସ୍ବାସ୍ଥ୍ୟସେବା ଦେଇପାରୁ ନ ଥିବା ବେଳେ ରାଜ୍ୟରେ କ’ଣ ସ୍ବାସ୍ଥ୍ୟସେବା ଯୋଗାଇବେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି।

Share