Categories: ଜାତୀୟ

ଗର୍ଭବତୀମାନେ ଟିକା ନେବା ଜରୁରୀ

ନୂଆଦିଲ୍ଲୀ,୯ ।୭: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛି କି ଦେଶରେ କୋଭିଡ-୧୯ର ୮୦ ପ୍ରତିଶତ ମାମଲା ୧୫ ରାଜ୍ୟ କେନ୍ଦ୍ର ଶାସିତ ଅଞ୍ଚଳର ୯୦ ଜିଲାରୁ ଆସିଛି । ଯାହା ଏହି ଅଞ୍ଚଳ ଉପରେ ନଜର ରଖିବାକୁ ଇସାରା ଦେଉଛି । ଦେଶର ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୬ ଜିଲାରେ କୋଭିଡ-୧୯ ସଂକ୍ରମଣ ଦର ୮ ଜୁଲାଇରେ ଶେଷ ହେଉଥିବା ସପ୍ତାହରେ ୧୦ ପ୍ରତିଶତରୁ ଅଧିକ ରହିଥିଲା । ଉକ୍ତ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିବା ନୀତି ଆୟୋଗର ସଦସ୍ୟ(ସ୍ୱାସ୍ଥ୍ୟ)ଡା. ବିକେ ପଲ କହିଛନ୍ତି. ଗର୍ଭବତୀମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେଲେ ସମୟ ପୂର୍ବରୁ ଶିଶୁ ଜନ୍ମ ହେବାର ସମ୍ଭାବନା ରହିଛି । ତେଣୁ ଏମାନେ ଟିକା ଲଗାଇବା ଜରୁରୀ । ଗର୍ଭବତୀଙ୍କ ଟିକାକରଣକୁ ନେଇ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଏମାନଙ୍କ ପାଇଁ ୩ଟି ଟିକା ଉପଯୁକ୍ତ ବୋଲି କୁହାଯାଇଛି । ଅନ୍ୟପଟେ ପର୍ଯ୍ୟଟନ ସ୍ଥଳରେ ଲୋକଙ୍କ ଭିଡ ପୁଣିଥରେ କରୋନାକୁ ଆମନ୍ତ୍ରଣ କରୁଛି । ଯାହା ଏବେ ଚିନ୍ତାର କାରଣ ପାଲଟି ଯାଇଛି । ଏଠାରେ ଲୋକେ ସାମାଜିକ ଦୂରତା ନ ମାନିବା ସହ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖାଯାଇଛି । ଯାହା ଭବିଷ୍ୟତ ପାଇଁ ବିପଜ୍ଜନକ । ତେଣୁ ସମସ୍ତେ କରୋନା ନିୟମ ମାନି ଚଳିବା ଉଚିତ । ନିକଟରେ କରୋନାର ନୂଆ ଭାରିଏଣ୍ଟ ଲ୍ୟାମଡାକୁ ନେଇ ଚିନ୍ତା ବଢୁଥିବା ବେଳେ ଏପର୍ଯ୍ୟନ୍ତ ଏହା ଭାରତରେ ଦେଖାଯାଇ ନାହିଁ ବୋଲି ସେ କହିଛନ୍ତି । ତେଣୁ ଆଗକୁ ପରିସ୍ଥିତି ଜଟିଳ ହେବା ପୂର୍ବରୁ ଏବେଠାରୁ ସତର୍କ ରହିବା ଭଲ ବୋଲି ଡ. ପଲ କହିଛନ୍ତି ।

Share