ନୂଆଦିଲ୍ଲୀ,୭ ।୪: ପୁଣି ଡରାଇଲାଣି କରୋନା ମହମାରୀ । ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ନେଇ ଜଣାପଡିବା ପର ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଓମିକ୍ରନର ଏହା ସବ ଭାରିଏଣ୍ଟ ହୋଇଥିବା ବେଳେ ଏହା ଓମିକ୍ରନ୍ ଅପେକ୍ଷା ୧୦ ଗୁଣା ଅଧିକ ସଂକ୍ରମିତ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସର ଓମିକ୍ରନ ଭାରିଏଣ୍ଟର ସବ୍ ଭାରିଏଣ୍ଟ ‘ଏକ୍ସଇ’ର ପ୍ରଥମ ରୋଗୀ ମୁମ୍ବାଇରେ ଚିହ୍ନଟ ହେବା ରିପୋର୍ଟକୁ ଖଣ୍ଡନ କରିଛି । ରିପୋର୍ଟ ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି । ବିଏମସି କହିଛି ବୁଧବାର ହୋଇଥିବା INSACOG ବୈଠକରେ ଉକ୍ତ ସଂକ୍ରମିତଙ୍କର ସାମ୍ପଲ ପୁଣିଥରେ ଅଧିକ ପରୀକ୍ଷା ପାଇଁ NIBMG କୁ ଠାଇବାକୁ କୁହାଯାଇଛି । ଯାହାଫଳରେ ‘ଏକ୍ସଇ’ ଭାରିଏଣ୍ଟର ଚିହ୍ନଟ ହୋଇପାରିବ ।
ଏକ୍ସଇର ପ୍ରଥମ ରିପୋର୍ଟକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଉକ୍ତ ସଂକ୍ରମିତଙ୍କ ସାମ୍ପଲର FastQ ଫାଇଲ, ଯାହାକୁ ଏକ୍ସଇ ଭାରିଏଣ୍ଟ କୁହାଯାଉଛି ତାହାର INSACOG ଜେନୋମିକ ଏକ୍ସପର୍ଟଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା । ଏଥିରେ ଅନୁମାନ କରାଯାଉଛି କି ଏହା ଏକ୍ସଇ ଭାରିଏଣ୍ଟ ସହ ସମ୍ପୃକ୍ତ ନୁହେଁ ।
ସୂଚନାଯୋଗ୍ୟ, ବୁଧବାର ବିଏମସି ପକ୍ଷରୁ ସୂଚନା ଦିଆଯାଇଥିଲା କି ଫେବୃୟାରୀରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଫେରିଥିବା ଜଣେ ମହିଳାଙ୍କ ନିକଟରେ ଓମିକ୍ରନର ସବ ଭାରିଏଣ୍ଟ ଏକ୍ସଇ ଚିହ୍ନଟ ହୋଇଛି । ମହିଳା ଜଣକ କରୋନାର ଦୁଇଟି ଯାକ ଟିକା ନେଇ ସାରିଥିବା ବେଳେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି । ହେଲେ ତାଙ୍କ ନିକଟରେ ଏକ୍ସଇର ସାମାନ୍ୟ ଲକ୍ଷଣ ଦେଖାଯାଇଥିବା କୁହାଯାଇଥିଲା ।
Posted inକରୋନା ଭାଇରସ୍, ଜାତୀୟ