ବ୍ୟାପୁଛି ମଙ୍କିପକ୍ସ, ହେବ କି ଲକ୍‌ଡାଉନ? ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦେଲେ ବଡ଼ ସୂଚନା

ଜେନେଭା,୨୧।୮: ଆଫ୍ରିକୀୟ ଦେଶମାନଙ୍କରେ ଦ୍ରୁତ ବ୍ୟାପିଥିବା ମଙ୍କିପକ୍ସକୁ ନେଇ ବିଶ୍ୱରେ ଚିନ୍ତାର ବିଷୟ ପାଲଟିଛି। ଏହି କାରଣରୁ ସମଗ୍ର ବିଶ୍ୱରେ ଲକ୍‌ଡାଉନ ହୋଇପାରେ। ଲୋକମାନେ କରୋନା କାରଣରୁ ଲକ୍‌ଡାଉନ ଦ୍ୱାରା ଘଟିଥିବା ଭୟଙ୍କର କଷ୍ଟକୁ ମନେ ପକାଇଲେ ଦେହ ଥରିଉଠେ। ତେଣୁ ଲୋକମାନେ ଏହା ବିଷୟରେ ଚିନ୍ତିତ ହେବା ସ୍ବାଭାବିକ। ଏଭଳି ପରିସ୍ଥିତିରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିଶେଷଜ୍ଞ ଡକ୍ଟର ହାନ୍ସ କ୍ଲୁଜେ ଏହାକୁ ନେଇ ସ୍ପଷ୍ଟ ଉତ୍ତର ଦେଇଛନ୍ତି। ଡ. ହାନ୍ସ କ୍ଲୁଜେ କହିଛନ୍ତି ,ମଙ୍କିପକ୍ସ ନୂତନ କୋଭିଡ ନୁହଁନ୍ତି କାରଣ ଅଧିକାରୀମାନେ ଏହି ରୋଗର ବିସ୍ତାରକୁ କିପରି ରୋକାଯାଇପାରିବ ତାହା ଜାଣନ୍ତି। ଯେତେବେଳେ ତାଙ୍କୁ ପଚରାଗଲା ମଙ୍କିପକ୍ସର ନୂତନ ଭାରିଆଣ୍ଟ କାରଣରୁ ପୁଣି ଥରେ ଲକ୍‌ଡାଉନ ହେବ କି, ଉତ୍ତରରେ ସେ କହିଛନ୍ତି ଯେ ସେପରି କୌଣସି ସମ୍ଭାବନା ନାହିଁ।

ଆଫ୍ରିକା ପରେ ୟୁରୋପରେ କିଛି ମାମଲା ଆସିବା ପରେ ୟୁରୋପର ଲୋକଙ୍କ ମଧ୍ୟରେ ମଧ୍ୟ ଭୟ ରହିଛି। ମଙ୍କିପକ୍ସର ନୂତନ ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହି ରୋଗ ହେତୁ ମୃତ୍ୟୁ ହେବାର ଆଶଙ୍କା ୧୦ ରୁ ୧୧ପ୍ରତିଶତ ଅଟେ । ଏହାକୁ ଦେଖି ସାରା ବିଶ୍ୱରେ ଭୟ ଦେଖାଦେଇଛି। ବିଶେଷ କରି ୟୁରୋପର ଲୋକମାନଙ୍କ ମଧ୍ୟରେ । ଏହି ପ୍ରସଙ୍ଗରେ ଡବ୍ଲ୍ୟୁଏଚ୍‌ଓ ୟୁରୋପର ଆଞ୍ଚଳିକ ନିର୍ଦ୍ଦେଶକ ହାନ୍ସ କ୍ଲୁଜେ କହିଛନ୍ତି ଯେ ଭୂତାଣୁର ନୂତନ ଭାରିଆଣ୍ଟକୁ ନେଇ ନିଶ୍ଚିତ ଭାବେ ଚିନ୍ତା ଅଛି, କିନ୍ତୁ ଏକତ୍ର ଆମେ ଏହି ରୋଗର ସଂକ୍ରମଣକୁ ବନ୍ଦ କରିପାରିବା। ଗତ କିଛି ମାସ ମଧ୍ୟରେ, ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ମଙ୍କିପକ୍ସ ଯୋଗୁ ୪୫୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସ୍ବିଡେନରେ ମଧ୍ୟ ଗୋଟିଏ ମାମଲା ସାମ୍ନାକୁ ଆସିଛି। ବିଶେଷଜ୍ଞମାନେ କହିଛନ୍ତି ଯେ ନୂତନ ଭିରିଆଣ୍ଟ ବିଷୟରେ ଆମକୁ ଅନେକ କିଛି ଜାଣିବା ଆବଶ୍ୟକ, କିନ୍ତୁ ସାମ୍ପ୍ରତିକ ପରିସ୍ଥିତି ହେଉଛି ଏହି ରୋଗ ସହଜରେ ବିସ୍ତାର ହୋଇପାରେ ଏବଂ ଗୁରୁତର ହୋଇପାରେ।

Share