ଚିକିତ୍ସାଳୟରେ ଅଚାନକ ପହଞ୍ଚିଲେ ସ୍ବାସ୍ଥ୍ୟ ସଚିବ

ଘସିପୁରା,୧।୯(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟକୁ ଗୁରୁବାର ସ୍ବାସ୍ଥ୍ୟ ସଚିବ ସାଲିନି ପଣ୍ଡିତ୍‌ ଅଚାନକ ଗସ୍ତ କରିଥିଲେ। ଏହି ଅବସରରେ ସେ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଚିକିତ୍ସାଳୟ ଅଧିକାରୀଙ୍କ ସହିତ ଆଲୋଚନା କରି ଫେରିଥିଲେ।

ପରବର୍ତ୍ତୀ ସମୟରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଜରୁରୀ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଶୁକ୍ରବାର ଜିଲାପାଳ ଆଶିଷ ଠାକରେ ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କରି ପରିମଳ ବ୍ୟବସ୍ଥା ଉପରେ ତନଖୀ କରିବା ସହିତ ୬ଜଣ ସଫେଇ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରପ ନିଲମ୍ବନ ଆଦେଶ ଦେଇଛନ୍ତି। ଏହା ସହିତ ସଫେଇ ଦାୟିତ୍ୱରେ ଥିବା ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ଜିଲାପାଳ କହିଛନ୍ତି।

ଶୁକ୍ରବାର ସ୍ବାସ୍ଥ୍ୟ ସଚିବଙ୍କ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଗସ୍ତ କାର୍ଯ୍ୟକ୍ରମ ରହିଥିଲେ ସୁଦ୍ଧା ସେ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଜିଲାପାଳଙ୍କ ସହିତ ଆଲୋଚନା କରି ଫେରିଛନ୍ତି। ସୂଚନାଯୋଗ୍ୟ, ସଚିବଙ୍କ ଦୁଇ ଦିନିଆ ମୟୁରଭଞ୍ଜ ଜିଲା ଗସ୍ତ କାଯର୍‌ୟକ୍ରମ ରହିଥିବାବେଳେ ବାଟରେ ଆନନ୍ଦପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଗୁରୁବାର ରିଫ୍ରେସ୍‌ମେଣ୍ଟ କାର୍ଯ୍ୟକ୍ରମ ରହିଥିଲା। ସଚିବ ଡାକବଙ୍ଗଳାରୁ ବାହାରି ହଠାତ୍‌ ଆନନ୍ଦପୁର ଚିକିତ୍ସାଳୟରେ ପହଞ୍ଚି ଥିଲେ। ପରେ ସେ ମାତୃ ଓ ଶିଶୁ ରୋଗ ବିଭାଗ ବୁଲି ଦେଖିବା ସହିତ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପୁରୁଷ ଓ ମହିଳା ମେଡିସିନ୍‌ ଓାର୍ଡ଼ ବୁଲି ଦେଖିବା ସହିତ ଚିକିତ୍ସାଳୟରେ ଚାଲିଥିବା ବିଭିନ୍ନ ମରାମତି କାର୍ଯ୍ୟ ତଦାରଖ କରିଥିଲେ।