Categories: ଜାତୀୟ

ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୧୦ଗୁଣା କମ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ, ୩୦।୭: ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଛି। ଅପରପକ୍ଷରେ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ କରାଯାଉଥିବା ଖର୍ଚ୍ଚ କମ୍‌ ରହିଛି। ଦେଶରେ ସ୍ବାସ୍ଥ୍ୟ ଖର୍ଚ୍ଚ ପ୍ରତିରକ୍ଷା ବଜେଟଠାରୁ ୮ରୁ ୧୦ଗୁଣା କମ୍‌ ରହିଛି। ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରାଯାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୃଥିବୀରେ ଆମେରିକାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହେଉଥିବାବେଳେ ଇସ୍ରାଏଲ୍‌ରେ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରାଯାଇଥାଏ। ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରତିରକ୍ଷା ବଜେଟ ୨ଲକ୍ଷ ୮୫ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨ ଲକ୍ଷ ୯୪ ହଜାର କୋଟିରେ ପହଞ୍ଚିଛି। ଅପରପକ୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୩୫ ହଜାର କୋଟିରୁ କମି ୩୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନିଜ କାର୍ଯ୍ୟକାଳର ପ୍ରଥମ ୫ ବର୍ଷରେ ସ୍ବାସ୍ଥ୍ୟ କ୍ଷେତ୍ରରେ ୨ଲକ୍ଷ ୩ ହଜାର ୫୩୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପ୍ରତିରକ୍ଷା କ୍ଷେତ୍ରରେ ୧୬ ଲକ୍ଷ ୮ ହଜାର ୮୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଅପରପକ୍ଷରେ ଆମେରିକା ଦେଶର ପ୍ରତି ନାଗରିକଙ୍କ ସ୍ବାସ୍ଥ୍ୟ ପାଇଁ ହାରାହାରି ୬ ଲକ୍ଷ ୭୩ ହଜାର ଟଙ୍କା ଖର୍ଚ୍ଚ କରିଥାଏ। ଏହା ତଳକୁ ନରଓ୍ବେ ଏବଂ ଜର୍ମାନୀ ଆଦି ଦେଶ ରହିଛନ୍ତି। ଆମେରିକା ନିଜ ଡିଜିପିର ୧୪.୩ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ କରିଥାଏ। ଭାରତରେ ଜିଡ଼ିପିର ୧.୨୮ ପ୍ରତିଶତ ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ। ଭାରତ ଏହି ତାଲିକାରେ ୧୭୦ତମ ସ୍ଥାନରେ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share