Categories: ଫୁରସତ

ସିଗାରେଟ୍‌ରେ ରହିବ ସ୍ବାସ୍ଥ୍ୟ ସତର୍କତା

ଅଟାୱା: ସିଗାରେଟ୍‌ ସହିତ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ହୋଇଥାଏ। ତାହା ଜାଣି ମଧ୍ୟ ଲୋକେ ତାକୁ ଆରାମରେ ଖାଇଥାନ୍ତି। ତେବେ ଏହାର ପ୍ରତିକାର ପାଇଁ କାନାଡ଼ା ଏକ ପ୍ରୟାସ ଆରମ୍ଭ କରିଛି। ସିଗାରେଟ୍‌ ଉପରେ ସ୍ବାସ୍ଥ୍ୟ ଚେତାବନୀ ଦେଉଥିବା କାନାଡ଼ା ପ୍ରଥମ ଦେଶ ହୋଇ ଇତିହାସ ସୃଷ୍ଟି କରିବାକୁ ଯାଉଛି। ବିଶ୍ୱର ନୋ ତମାଖୁ ଦିବସରେ ଦେଶର ମାନସିକ ସ୍ବାସ୍ଥ୍ୟ ଏବଂ ଅବକାରୀ ମନ୍ତ୍ରୀ କାରୋଲିନ୍‌ ବେନେଟ୍‌ ଏହି ଘୋଷଣା କରିଛନ୍ତି। ଧୂମପାନ କରୁଥିବା ଲୋକ ଧୂମପାନ ତ୍ୟାଗ କରିବା, ତମାଖୁକୁ କମ୍‌ ଆକର୍ଷଣ କରିବାକୁ ଏହି ନୂତନ ନିୟମ କାନାଡ଼ା ଯୋଜନାର ଏକ ଅଂଶ। ନୂତନ ନିୟମ ଅନୁସାରେ, ବ୍ୟକ୍ତିଗତ ସିଗାରେଟ୍‌, ଛୋଟ ସିଗାରେଟ୍‌ ଟ୍ୟୁବ୍‌ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟର ଫିଲ୍ଟରର ବାହ୍ୟ କାଗଜରେ ସ୍ବାସ୍ଥ୍ୟ ଚେତାବନୀକୁ ହାତଛଡ଼ା କରିବା ଅସମ୍ଭବ ହୋଇପଡ଼ିବ। ସେଥିରେ ଚେତାବନୀ ଭାବେ ‘ସିଗାରେଟ କଜ୍‌ କ୍ୟାନ୍‌ସର’ କିମ୍ବା ‘ପ୍ରତ୍ୟେକ ପଫ୍‌ରେ ବିଷ’ ବୋଲି ଲେଖାରହିବ। ଏହି ନିୟମ ଚଳିତବର୍ଷ ଅଗଷ୍ଟ ପହିଲାରୁ ଆରମ୍ଭ ହୋଇଥିବାବେଳେ ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ ଗଢାଯିବ। ୨୦୨୪ ଏପ୍ରିଲ ଶେଷସୁଦ୍ଧା କାନାଡାର ଖୁଚୁରା ବ୍ୟବସାୟୀମାନେ ନୂତନ ସ୍ବାସ୍ଥ୍ୟ ବାର୍ତ୍ତା ବହନ କରୁଥିବା ତମାଖୁ ପ୍ୟାକେଟ୍‌ ସହିତ ତମାଖୁ ଉତ୍ପାଦ ବିକ୍ରି କରିବେ। ୨୦୨୪ ଜୁଲାଇ ସୁଦ୍ଧା ଏହା କାନାଡ଼ାର ସମସ୍ତ ସେଲରେ ପହଞ୍ଚିବ। ପ୍ରତିବର୍ଷ କାନାଡ଼ାର ୪୮ ହଜାର ଲୋକ ତମାଖୁ ପାଇଁ ମୃତ୍ୟୁମୁଖରେ ପଡୁଛନ୍ତି। ଏହି ନିୟମ ଫଳରେ କାନାଡ଼ାର ଲୋକେ ଏଥିପ୍ରତି ସଚେତନତା ଅବଲମ୍ବନ କରିବେ ବୋଲି ଆଶା ରଖାଯାଇଛି।

Share