Advertisement

ଟିକା ନ ନେବାକୁ ସ୍ବାସ୍ଥ୍ୟକର୍ମୀଙ୍କ ଚେତାବନୀ

ଭୁବନେଶ୍ୱର, ୧୫।୧(ବ୍ୟୁରୋ):ରାଜ୍ୟରେ ଶନିବାରଠାରୁ ଆରମ୍ଭ ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଯୋଜନା ହୋଇଛି। କିନ୍ତୁ କରୋନା ଟିକା ନ ନେବାକୁ ଚେତାବନୀ ଦେଇଛନ୍ତି ୧୫ ହଜାର ସ୍ବାସ୍ଥ୍ୟକର୍ମୀ। କ୍ୟାଡର୍‌ ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଏପରି ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ। ଗୁରୁବାର ମହାସଂଘ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଛି ଯେ,
ଅନ୍ୟକୁ ଟିକା ଦେବୁ, କିନ୍ତୁ ନିଜେ ନେବୁ ନାହିଁ। ସରକାରଙ୍କ ପାଖରେ ସ୍ବାସ୍ଥ୍ୟକର୍ମୀମାନେ ବାରମ୍ବାର ଏହି ଦୁଇଟି ଦାବି ରଖି ଆସୁଥିଲେ ମଧ୍ୟ କୌଣସି ସମାଧାନ ହୋଇନି। କ୍ୟାଡର ପୁନର୍ଗଠନ ନ ହେବା ଦ୍ୱାରା ପଦୋନ୍ନତିରେ ସମସ୍ୟା ହେଉଛି। ତେଣୁ ଆସନ୍ତା ୧୬ ତାରିଖରୁ କରୋନା ଟିକାକରଣ ପ୍ରକ୍ରିୟାବେଳେ କଳା ବ୍ୟାଜ୍‌ ପରିଧାନ କରି ପ୍ରତିକାତ୍ମକ ଧାରଣା ଦିଆଯିବ। ଦାବି ପୂରଣ ନ ହେଲେ ଫେବୃୟାରୀ ୧ରୁ କାର୍ଯ୍ୟବନ୍ଦ ସହିତ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।
ମିଳିତ ମହାସଂଘ ଆବାହିକା ମମତା ନାୟକ କହିଛନ୍ତି, ବର୍ତ୍ତମାନ ଭଳି କରୋନାର ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନାହିଁ। କ୍ୟାଡର୍‌ ପୁନର୍ଗଠନ ଏବଂ ପଦବୀ ପରିବର୍ତ୍ତନ ଦାବି ନେଇ ପୂର୍ବରୁ ମଧ୍ୟ ନଭେମ୍ବର ଓ ଡିସେମ୍ବର ମାସରେ ସରକାରଙ୍କୁ ଦାବିପତ୍ର ଦେଇଥିଲୁ। କିନ୍ତୁ ସରକାର ଏପର୍ଯ୍ୟନ୍ତ ଆମକୁ ଆଲୋଚନା ପାଇଁ ମଧ୍ୟ ଡାକିଲେ ନାହିଁ। ଆମ ପାଇଁ ଗୋଟିଏ ପଦୋନ୍ନତି ପଦବୀ ଅଛି। ଆମ ଚାକିରି କାଳ ସରିଯାଉଛି। ଅବସର ହୋଇଯାଉଛି, କିନ୍ତୁ ପ୍ରମୋଶନ ମିଳୁନାହିଁ। ତେଣୁ ଆମ କଥା ତୁରନ୍ତ ବିଚାର କରାଯାଉ। ଚାକିରି କାଳ ଭିତରେ ଆମକୁ ୪ଟି ପଦୋନ୍ନତି ବ୍ୟବସ୍ଥା କରାଯାଉ, ଡେଜିଗ୍‌ନେଶନ ଚେଞ୍ଜ କରାଯାଉ। ସରକାର ଆମ କଥା ବୁଝୁ ନ ଥିବାରୁ ଆମେ କୋଭିଡ୍‌ ଟିକା ନେବୁନି। କିନ୍ତୁ ଅନ୍ୟମାନଙ୍କୁ ଟିକା ଦେବୁ। କିନ୍ତୁ କରୋନା ପରିଚାଳନାରେ ଆମେ କୌଣସି ଅବହେଳା କରିବୁ ନାହିଁ ବୋଲି ମମତା ନାୟକ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share