Categories: ଜାତୀୟ

ସ୍ବାସ୍ଥ୍ୟକର୍ମୀଙ୍କୁ ମିଳିବ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ !

ନୂଆଦିଲ୍ଲୀ,୩୧।୭: କରୋନା ଭାଇରସ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେବାକୁ ଏବେ ବିଭିନ୍ନ ଭ୍ୟାକ୍ସିନ ପ୍ରସ୍ତୁତ କାରୀ ସଂସ୍ଥା ସେମାନଙ୍କ ସମସ୍ତ ଶ୍ରମ ଲଗାଇ ଦେଇଛନ୍ତି କହିଲେ ଚଳେ। ଏବେ ଏହି ଭ୍ୟାକ୍ସିନ ପ୍ରସ୍ତୁତ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କୁହାଯାଉଛି। ଯଦି ସବୁକିଛି ଠିକ୍‌ ରହିଲା ତେବେ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ କରୋନା ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କୁହାଯାଉଛି। ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି କି ଯଦି ଅଗଷ୍ଟ ଶେଷ ସୁଦ୍ଧା ଦେଶକୁ କରୋନା ଭ୍ୟାକ୍ସିନ ମିଳିଗଲା ତେବେ ଏହା କାହାକୁ ପ୍ରଥମେ ଦିଆଯିବ? ସରକାର ଯଦିଓ ଏହାକୁ ନେଇ ଆଲୋଚନା କରୁଛନ୍ତି ତଥାପି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ସାମାନ୍ୟ ଇସାରା କହୁଛି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରେ। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହା ଇଙ୍ଗିତ କରିଥିବା କୁହାଯାଉଛି। କରୋନା ଯୁଦ୍ଧରେ ଏହି ଆଗଧାଡିର ଯୋଦ୍ଧାଙ୍କୁ ଭାରତ ସରକାର ସମ୍ମାନ ଜଣାଉଥିବା ବେଳେ ଏମିତି ହେଲେ ଉଚିତ ହେବ ବୋଲି ମଧ୍ୟ କେହି କେହି ମତ ଦେଇଛନ୍ତି। ଏହାଦ୍ୱାରା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟାରେ ଯେଉଁ ହ୍ରାସ ଦେଖାଯାଉଛି ତାହା ମଧ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ତେବେ ସ୍ବାସ୍ଥ୍ୟ ସଚିବ କହିଛନ୍ତି ଏବେ ପର୍ଯ୍ୟନ୍ତ ଭ୍ୟାକ୍ସିନକୁ ନେଇ କୌଣସି ତାଲିକା ପ୍ରସ୍ତୁତ କରାଯାଇ ନ ଥିବା ବେଳେ ଯଦିବି ତାଲିକା ପ୍ରସ୍ତୁତ କରାଯିବ ତେବେ ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା ଦିଆଯାଇପାରେ। ଏହାପରେ ବରିଷ୍ଠ ନାଗରିକ ଓ ଅନ୍ୟ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ସ୍ଥାନ ଦିଆଯିବ ବୋଲି ସେ କହିଛନ୍ତି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ରିଜିଓନାଲ ଡାଇରେକ୍ଟର କହିଛନ୍ତି ଯେବେବି ଭ୍ୟାକ୍ସିନ ପ୍ରସ୍ତୁତ ହୋଇଯିବ ତୁରନ୍ତ ଏହା ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଦିଆଯିବା କଥା ଚିନ୍ତା କରାଯାଇଛି। ଏହାସହ ସମସ୍ତ ଦେଶକୁ ମଧ୍ୟ ଏହା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

Share