Categories: ବାଣିଜ୍ୟ

‘ସୁସ୍ଥ ମୃତ୍ତିକା ପୁଷ୍ଟିକର ଶସ୍ୟ ଯୋଗାଇବ’

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ସୁସ୍ଥ ମୃତ୍ତିକା ପୁଷ୍ଟିକର ଶସ୍ୟ ଯୋଗାଇପାରିବ। ହରିଦ୍ୱାରସ୍ଥିତ ପତଞ୍ଜଳି ଜୈବ ଅନୁସନ୍ଧାନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଅନ୍‌ଲାଇନ ସ୍ବେଚ୍ଛାକୃତ ଯୋଗାହାର କାର୍ଯ୍ୟକ୍ରମର ୯୨୮ତମ ଦିନରେ ଏପରି ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ କୃଷକମାନେ ଯୋଡ଼ିହୋଇଥବାବେଳେ ‘ସଏଲ୍‌ ହେଲ୍‌ଥ ବା ମୃତ୍ତିକା ସ୍ବାସ୍ଥ୍ୟ’ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା। ମାଟିରେ ପୋଷକ ତତ୍ତ୍ୱ ଅଧିକ ରହିବା ସହ ଜଳଧାରଣ କ୍ଷମତା ବଜାୟ ରହିଲେ ପୁଷ୍ଟିକର ଶସ୍ୟ ମିଳିପାରିବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପତଞ୍ଜଳି ଜୈବ ଅନୁସନ୍ଧାନ ପ୍ରତିଷ୍ଠାନର ପୱନ କୁମାର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନେଇ ବିସ୍ତୃତ ସୂଚନା ଦେଇଥିଲେ। ପରେ ଡ. ମନୋହରି ରାଠି ଏବଂ ତରୁଣ ଶର୍ମା ମୃତ୍ତିକା ସ୍ବାସ୍ଥ୍ୟ ଉପରେ ଆଲୋଚନା କରିଥିଲେ।

ମୃତ୍ତିକାର ଆର୍ଦ୍ରତା ଚିହ୍ନଟ ଯନ୍ତ୍ର, ବିଶେଷଜ୍ଞଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଉପସ୍ଥିତ ସଦସ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଏଲ୍‌ ହେଲ୍‌ଥ ଲ୍ୟାଡର ଚାର୍ଟ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମ ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର କୃଷକମାନଙ୍କ ଦ୍ୱାରା ପରୀକ୍ଷା କରାଯାଉଛି। କୃଷକମାନେ ଆଗ୍ରହର ସହ ଏହାକୁ ବ୍ୟବହାର କରୁଛନ୍ତି ଏବଂ ଏହା କୃଷକମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବା ସହ ମାଟିରେ ଜୈବ ବିବିଧତା, ପୁଷ୍ଟିକର ଖାଦ୍ୟ ଏବଂ ଜଳର ଉପସ୍ଥିତି ତଥା ଗୁଣ ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରୁଛି। ଏହି ପଦ୍ଧତି ତଥା ଯନ୍ତ୍ରାଂଶ ସେମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହେଉଛି।

ସମାନ କ୍ରମରେ ଡ. ସୁରେଶ କୁମାର କହିଛନ୍ତି, କ୍ରମାଗତ ଭାବରେ କ୍ଷେତକୁ ଫସଲର ଅବଶିଷ୍ଟାଂଶ ପ୍ରଦାନକରି ମାଟି ନିଜେ କ୍ଷେତରୁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ପାଇଥାଏ। ଏହାଦ୍ୱାରା ମାଟି ସାମଗ୍ରିକ ଭାବେ ସୁସ୍ଥ ରହିଥାଏ ଏବଂ ଚାଷୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ । ଭୋପାଳରୁ ଆସିଥିବା କୃଷି ବିଶେଷଜ୍ଞ ଡ. ବିନୟ ସ୍ବରୂପ ମେହେରୋତ୍ରା ମୃତ୍ତିକାର ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ଆହ୍ବାନ ଦେଇଥିଲେ। ଜୈବ ବର୍ଜ୍ୟବସ୍ତୁ ପରିଚାଳନା ସହ ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ସଞ୍ଜୟ ନୈଥାନି ଗୁରୁତ୍ୱାରୋପ କରିଥିଲେ।

Share