ନୂଆଦିଲ୍ଲୀ,୩୧।୧: ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନିଷେଧ କରିବା ସହ ଏହା ଉପରେ ଟୁଇଟ୍ ଏବଂ ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିଲା। ସର୍ବୋଚ୍ଚ ଅଦାଲତ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଫେବୃୟାରୀ ୬ରେ ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଏହାର ଶୁଣାଣି କରାଯିବ। ବିବିସି ଡକ୍ୟୁମେଣ୍ଟାରି ବ୍ୟାନ୍କୁ ଚ୍ୟାଲେଞ୍ଜ କରି ଏମ୍.ଏଲ୍. ଶର୍ମା, ସାମ୍ବାଦିକ ଏନ୍. ରାମ, ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏବଂ ଟିଏମ୍ସି ଏମ୍ପି ମହୁଆ ମୈତ୍ରୀ ପ୍ରମୁଖ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରିଥିଲେ। ଏନ୍. ରାମ, ପ୍ରଶାନ୍ତ ଭୂଷଣ ଏବଂ ଟିଏମ୍ସି ଏମ୍ପିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସି.ୟୁ ସିଂ ଖଣ୍ଡପୀଠଙ୍କୁ କହିଥିଲେ, ତାଙ୍କ ମହକିଲମାନଙ୍କ ଟୁଇଟ୍କୁ କେନ୍ଦ୍ର ସରକାର ହଟାଇ ଦେଇଥିଲେ। ତେବେ ଟୁଇଟ୍ ବ୍ଲକ୍ ପାଇଁ ଆନୁଷ୍ଠାନିକ ଭାବେ ନିର୍ଦ୍ଦେଶନାମା ପ୍ରକାଶ କରାଯାଇ ନ ଥିଲା। ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶନକୁ ନେଇ ବିଭିନ୍ନ କ୍ୟାମ୍ପସ୍ରେ ଛାତ୍ରୀଛାତ୍ରଙ୍କୁ ନିଲମ୍ବନ କରାଯାଇଛି। ବ୍ୟାନ୍କୁ ଅସାମ୍ବିଧାନିକ ଓ ସ୍ବେଚ୍ଛାଚାର ବୋଲି ଅଭିଯୋଗ କରି ଏମ୍.ଏଲ୍. ଶର୍ମା ଉକ୍ତ ଡକ୍ୟୁମେଣ୍ଟାରିକୁ ପରୀକ୍ଷା କରାଯାଉ ବୋଲି କହିଛନ୍ତି।