ନିଦ୍ରାହୀନତାରୁ ହୃଦ୍‌ରୋଗ

ହୃଦ୍‌ରୋଗ ପଛରେ ଅନେକ କାରଣ ରହିଛି। ରକ୍ତ ସଞ୍ଚାଳନରେ ବାଧା, ମେଦବହୁଳତା ଏପରିକି ରକ୍ତରେ ଶର୍କରା ପରିମାଣ ଦୀର୍ଘଦିନ ଧରି ଅସନ୍ତୁଳିତ ରହିଲେ ଏଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥା ଯୋଡ଼ାଯାଇଛି। ହୃଦ୍‌ରୋଗ ଲାଗି ଆଉ କ’ଣ କାରଣ ରହିଛି ସେ ବିଷୟରେ ୟୁନିଭର୍ସିଟି ଅଫ୍‌ ଓ୍ବାଶିଂଟନ୍‌ର ହୃଦ୍‌ଶଲ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଯଦି ଜଣେ ବ୍ୟକ୍ତିଙ୍କର ଶୋଇବାରେ ଅନିୟମିତତା ଲାଗିରହେ ଏବଂ ସେ ନିଦ୍ରାହୀନତାର ସମ୍ମୁଖୀନ ହୁଅନ୍ତି ତେବେ ତାଙ୍କଠାରେ ହୃଦରୋଗର ଲକ୍ଷଣ ଦେଖାଯିବାର ଯଥେଷ୍ଟ ଆଶଙ୍କା ରହିଛି। ଦୀର୍ଘସମୟ ଧରି ନିଦ୍ରାହୀନତା ସମସ୍ୟାର ସାମ୍‌ନା କରିଥିବା କେତେକ ବ୍ୟକ୍ତିଙ୍କଠାରେ ସେମାନେ ହୃଦରୋଗର ଲକ୍ଷଣ ଦେଖିବାକୁ ପାଇଥିଲେ। ତେଣୁ ଜଣେ ବ୍ୟକ୍ତି ଦିନକୁ ଅତିକମ୍‌ରେ ୬-୭ ଘଣ୍ଟା ଶାନ୍ତ ମନରେ ଶୋଇବା ନିହାତି ଦରକାର।