କରୋନାରୁ ସୁସ୍ଥ ହୃଦ୍‌ରୋଗୀ ହାର୍ଟ ଚେକ୍‌ ଅପ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଆରୋଗ୍ୟ ଲାଭ କରିବା ପରେ ଆକ୍ରାନ୍ତଙ୍କ ଶରୀରରେ ଅନ୍ୟାନ୍ୟ ଜଟିଳତା ଦେଖାଯାଉଛି। ଫଳରେ ରୋଗୀ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏଥିପ୍ରତି ହୃଦ୍‌ରୋଗୀମାନେ ଅଧିକ ଯତ୍ନବାନ ହେବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ତଥା ଇଣ୍ଟରଭେନ୍‌ସନାଲ କାର୍ଡିଓଲୋଜିଷ୍ଟ ଓ କାର୍ଡିଆକ୍‌ ଇଲେକ୍ଟ୍ରୋଫିଜିଓଲୋଜିଷ୍ଟ ଡା. ଅନୁପମ ଜେନା। ସେ କହିଛନ୍ତି, ଯେଉଁ ହୃଦ୍‌ରୋଗୀମାନେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ସେମାନେ ଆରୋଗ୍ୟ ଲାଭ ପରେ ହାର୍ଟ ଚେକ୍‌ ଅପ୍‌ କରିବା ଉଚିତ। ଫଳରେ ଭାଇରସ୍‌ଜନିତ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଦୂର କରାଯାଇପାରିବ। ନଚେତ୍‌ ଭବିଷ୍ୟତରେ ହୃଦ୍‌ଘାତର ସମସ୍ୟା ଦେଖାଦେଇପାରେ। ଏସିଆ, ୟୁରୋପ ଓ ୟୁଏସ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କାର୍ଡିଓଭାସ୍କୁଲାର କୋମର୍ବିଡିଟି ବା ପୂର୍ବରୁ କୌଣସି ସମସ୍ୟା ରହିଥିଲେ ହୃତ୍‌ପିଣ୍ଡରେ ଜଟିଳା ସମସ୍ୟା ଦେଖାଯିବାର ଅଧିକ ସମ୍ଭାବନା ରହିଛି। ଅନେକ ସମୟରେ ବିଳମ୍ବରେ ରୋଗ ନିରୂପିତ ହେବା ଯୋଗୁ ରୋଗୀ ହସ୍ପିଟାଲରେ ପହଞ୍ଚତ୍ବା ବେଳକୁ ଅନେକ କ୍ଷତି ହୋଇସାରିଥାଏ। ତେଣୁ କରୋନାରୁ ଆରୋଗ୍ୟ ଲାଭ କରିବା ପରେ ସମ୍ପୂର୍ଣ୍ଣ ରୋଗ ନିରୂପଣ ନିଶ୍ଚିତ ଭାବେ କରାଯିବା ଆବଶ୍ୟକ। ଏହାଦ୍ୱାରା ହୃଦ୍‌ଘାତ ବା ହଠାତ୍‌ କାର୍ଡିଆକ ଆରେଷ୍ଟଜନିତ ବିପଦକୁ ଦୂର କରାଯାଇପାରିବ ବୋଲି ଡା. ଜେନା କହିଛନ୍ତି।

Share