Categories: ଜାତୀୟ

ହୃଦୟ ବିଦାରକ ଦୃଶ୍ୟ:୨ ପୁଅଙ୍କ ମୃତଦେହ ୧୫ କି.ମି. ବୋହିଲେ ମା’ବାପା

ନାଗପୁର, ୬।୯:ମହାରାଷ୍ଟ୍ରର ଗଡ଼ଚିରୌଲୀ ଜିଲା ଅହେରି ତହସିଲ ପତ୍ତିଗାଓଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ଓ ଯାତାୟାତ ସୁବିଧା ଠିକ୍‌ ନ ଥିବାରୁ ୨ ଶିଶୁଙ୍କର ଠିକ ସମୟରେ ଚିକିତ୍ସା ହୋଇ ନ ପାରିବାରୁ ସେମାନଙ୍କର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ପତ୍ତିଗାଓଁ ଗ୍ରାମ ନିବାସୀ ରମେଶ ବିଲାଦୀଙ୍କ ୨ ପୁଅ ବାଜିରାଓ(୬) ଏବଂ ଦୀନେଶଙ୍କୁ ବୁଧବାର ପ୍ରବଳ ଜ୍ୱର ହୋଇଥିଲା। ତେବେ ଜ୍ୱରର ପାରମ୍ପରିକ ଉପଚାର ପାଇଁ ପ୍ରଥମେ ରମେଶ ଓ ତାଙ୍କ ସ୍ତ୍ରୀ ଉଭୟ ପିଲାଙ୍କୁ ସ୍ଥାନୀୟ ପୁରୋହିତଙ୍କୁ ଦେଖାଇଥିଲେ। ପୁରୋହିତ ଦେଇଥିବା ଔଷଧରେ ୨ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିଥିଲା। ତେଣୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ୧୫ କି.ମି ଦୂରରେ ଥିବା ଜିମଲଗଟ୍ଟା ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ହସ୍ପିଟାଲକୁ ନେବା ପାଇଁ ରମେଶଙ୍କୁ ଆମ୍ବୁଲାନ୍ସ ମିଳି ନ ଥିଲା।

ସେହିପରି ଯାତାୟାତ ସୁବିଧା ନ ଥିବାରୁ ରମେଶ ଓ ତାଙ୍କ ସ୍ତ୍ରୀ ୨ ପିଲାଙ୍କୁ ଧରି କାଦୁଅ ରାସ୍ତାରେ ଚାଲିଚାଲି ଜିମଲଗଟ୍ଟା ହସ୍ପିଟାଲରେ ପହଞ୍ଚିଥିଲେ। ତେବେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ଠିକ୍‌ ସମୟରେ ଚିକିତ୍ସା ସେବା ପାଇ ପାରି ନ ଥିବାରୁ ଉଭୟ ବାଜିରାଓ ଓ ଦୀନେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହା ପରେ ମଧ୍ୟ ରମେଶ ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ୨ ପିଲାଙ୍କ ମୃତଦେହ ପତ୍ତିଗାଓଁ ଗ୍ରାମକୁ ନେବା ପାଇଁ ଆମ୍ବୁଲାନ୍ସ ମିଳି ନ ଥିଲା। ତେଣୁ ଏହି ଦମ୍ପତି ବାଧ୍ୟ ହୋଇ ଉଭୟ ପିଲାଙ୍କର ମୃତଦେହକୁ କାନ୍ଧେଇ ୧୫ କି.ମି. ଚାଲି ଚାଲି ଗ୍ରାମରେ ପହଞ୍ଚିଥିଲେ।

ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିଶ ଗଡ଼ଚିରୌଲୀ ଜିଲାକୁ ପୋଷ୍ୟ ଜିଲା ଭାବେ ଗ୍ରହଣ କରିଥିବାବେଳେ ଏପରି ଅବ୍ୟବସ୍ଥା କିପରି ଘଟିଲା ସେନେଇ ରାଜ୍ୟରେ ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି (ଏମ୍‌ଭିଏ) ପ୍ରଶ୍ନ କରିଛି।

Share