ସାଢ଼େ ୧୧ରେ ଜଳିଲା ଭୁବନେଶ୍ବର, ସାରା ରାଜ୍ୟରେ ପ୍ରବଳ ଖରା

ଭୁବନେଶ୍ୱର,୫।୪: ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ। ଦିନ ସାଢ଼େ ୧୧ଟାରେ ଭୁବନେଶ୍ବର ତାପମାତ୍ରା ୩୯.୮ ଡ଼ିଗ୍ରୀ ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବର ସହ ସାରା ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ବ୍ୟତୀତ ଦିନ ୧୧ ଟା ୩୦ ସୁଦ୍ଧା କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮, ଝାରସୁଗୁଡା : ୩୮, ରାଉରକେଲା: ୩୭.୮, ଚାନ୍ଦବାଲି: ୩୭.୪ , ସମ୍ବଲପୁର: ୩୭.୪ , ହୀରାକୁଦ: ୩୬.୬, ପୁରୀ: ୩୨.୪, ପାରାଦୀପ: ୩୨, ଗୋପାଳପୁର: ୩୧.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ ଏବଂ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି । ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ପହଞ୍ଚିବ ବୋଲି ପାଣିପାଗ ବିଜ୍ଞାନୀ ମାନେ ଅନୁମାନ କରିଛନ୍ତି ।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ପାଠପଢ଼ା ସମୟରେ ୩ ଥର ପାଣି ଯୋଗାଇ ଦେବାପାଇଁ ବ୍ଲକ୍‌‌ ଶିକ୍ଷା ଅଧିକାରୀ ଏବଂ ସ୍କୁଲର ପ୍ରଧାନଶିକ୍ଷକମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଜିଲ୍ଲାର ସ୍କୁଲ ପାଠପଢ଼ା ସମୟ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ମଧ୍ୟରେ ସୀମିତ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Share