୨୦୨୨ ରୁ ୨୦୨୬ ମଧ୍ୟରେ ରେକର୍ଡ ଭାଙ୍ଗିବ ତାତି…

ଲଣ୍ଡନ, ୧୦।୫ : ଗ୍ଲୋବାଲ ୱାର୍ମିଂ ଉପରେ ଅନେକ ବିଶେଷଜ୍ଞ ତାପମାତ୍ରା ବୃଦ୍ଧି ଉପରେ ରୋକ ଲଗାଇବାକୁ ବିଶ୍ୱ ନେତାମାନଙ୍କୁ ନିବେଦନ କରୁଛନ୍ତି। ପୃଥିବୀର ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ବିଶେଷଜ୍ଞମାନେ ଅନୁରୋଧ କରିଛନ୍ତି। ବ୍ରିଟେନର ଗବେଷକମାନେ କହିଛନ୍ତି ଯେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ବୃଦ୍‌ଦି ପାଇବା ସହିତ ହାରାହାରି ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍‌ ରହିବାରେ ସମ୍ଭାବନା ରହିଛି।

ଏହା କୁହାଯାଇଛି ଯେ ଏଭଳି ସ୍ଥିତି ଅସ୍ଥାୟୀ ହୋଇପାରେ କିନ୍ତୁ ତାପମାତ୍ରା ବୃଦ୍ଧି ଏକ ଭଲ ସଙ୍କେତ ନୁହେଁ। ବିଶେଷଜ୍ଞମାନେ କହିଛନ୍ତି ଯେ ୨୦୨୨ ରୁ ୨୦୨୬ ମଧ୍ୟରେ ତାତିରେ ରେକର୍ଡ ବୃଦ୍ଧି ହେବ। ରିପୋର୍ଟରୁ ଜଣାପଡିଛି ଯେ ପୃଥିବୀର ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ କମ ରଖିବା ପାଇଁ ବିଶ୍ୱ ନେତାଙ୍କ ଦ୍ୱାରା ପ୍ରଥମେ ପ୍ୟାରିସ ଜଳବାୟୁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ଏବଂ ନଭେମ୍ବର ୨୦୨୧ ରେ ଗ୍ଲାସ୍ଗୋରେ ସିଓପି-୨୬ରେ ବିଶ୍ୱ ପ୍ରତି ଏହି ପ୍ରତିବଦ୍ଧତା ଲକ୍ଷ୍ୟକୁ ଦୋହରାଇଯାଇଥିଲା।

ଅଧ୍ୟୟନରେ କୁହାଯାଇଛି ଯେ ୨୦୨୨ରୁ ୨୦୨୬ ମଧ୍ୟରେ ପୃଥିବୀର ତାପମାତ୍ରା ପୂର୍ବ ଶିଳ୍ପସ୍ତର ତୁଳନାରେ ୧.୧ ଓ ରୁ ୧.୭ ଡିଗ୍ରୀ ସେଲସିୟସ ମଧ୍ୟରେ ହୋଇପାରେ। ଅନୁସନ୍ଧାନକାରୀମାନେ ପୂର୍ବାନୁମାନ କରିଛନ୍ତି ଯେ ଏହି ସମୟ ମଧ୍ୟରେ ଗୋଟିଏ ବର୍ଷରେ ୧.୫ ଡିଗ୍ରୀ ସେଲସିୟସ ସ୍ତରକୁ ଭାଙ୍ଗିବାର ସମ୍ଭାବନା ୪୮ ପ୍ରତିଶତ, କିମ୍ବା ପ୍ରାୟ ୫୦ ପ୍ରତିଶତ ରହିଛି।

ବ୍ରିଟେନର ମେଟ ଅଫିସର ଜଣେ ଗବେଷକ ଡ. ଲିଓନ ହର୍ମନସନ କହିଛନ୍ତି ଯେ ବାୟୁମଣ୍ଡଳରେ ପରିବର୍ତ୍ତନ ହେଉଛି ମୌଳିକ ବିଷୟ। ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡର ସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ହ୍ରାସ କରିବା ପାଇଁ ଆମକୁ ଯଥାସମ୍ଭବ କାର୍ଯ୍ୟ ଜାରି ରଖିବା ଆବଶ୍ୟକ ବୋଲି ସେ ଚେତାବନୀ ଦେଇଛନ୍ତି।

Share