Categories: ଖେଳ

୮ ବର୍ଷ ଲାଗି ବାସନ୍ଦ ହେଲେ ପୂର୍ବତନ ମହାନ ଖେଳାଳି

ଦୁବାଇ, ୧୪ା୪- ଜିମ୍ବାଓ୍ବେ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍‌ ହେଥ ଷ୍ଟ୍ରେକଙ୍କୁ ସମସ୍ତ ପ୍ରକାର କ୍ରିକେଟ କାର୍ଯ୍ୟାକଳାପରୁ ୮ ବର୍ଷ ଲାଗି ବାସନ୍ଦ କରାଯାଇଛି। ସେ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ଦୁର୍ନୀତି ନିବାରଣ ନିୟମ ଭଙ୍ଗ କରିଛନ୍ତି। ଦୁର୍ନୀତି ନିବାରଣ ନିୟମ ଭାଙ୍ଗିଥିବା ଷ୍ଟ୍ରେକ ସ୍ବୀକାର କରି ନେଇଥିବା ଆଇସିସି ପକ୍ଷରୁ ବୁଧବାର କୁହାଯାଇଛି।

୨୦୧୬ରୁ ୧୮ ମଧ୍ୟରେ ସେ ଜିମ୍ବାଓ୍ବେ ଜାତୀୟ ଦଳ ଏବଂ ବିଭିନ୍ନ ଘରୋଇ ଦଳର କୋଚ୍‌ ଥିବାବେଳେ ଦୁର୍ନୀତିରେ ଲିପ୍ତ ଥିଲେ। ୨୦୧୮ ଆଇପିଏଲର ଏକ ମ୍ୟାଚ୍‌ର ଭିତର ତଥ୍ୟ ପ୍ରଘଟ କରିଥିଲେ। ଆଉ ଏ ସମ୍ପର୍କରେ ଅଧିକାରୀଙ୍କୁ ଜଣାଇ ନ ଥିବା ସ୍ବୀକାର କରିଛନ୍ତି। ୨୦୧୮ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବୋଲିଂ କୋଚ୍‌ ଥିଲେ ଷ୍ଟ୍ରେକ୍‌। ବାସନ୍ଦାଦେଶ ଯୋଗୁ ଏହି ପୂର୍ବତନ ଅଲରାଉଣ୍ଡର ୨୦୨୯ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ କ୍ରିକେଟ ସହ କୌଣସି ପ୍ରକାର ଯୋଡ଼ି ହୋଇ ପାରିବେ ନାହିଁ।

Share