ଗୋଆରେ ଯୁବତୀଙ୍କୁ ପ୍ରତାରଣା: ହସ୍ପିଟାଲରୁ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର, ୨୦।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗୋଆରୁ ଜଣେ ଯୁବତୀଙ୍କୁ ବ୍ରହ୍ମପୁର ଆଣି ମନ୍ଦିରରେ ବିବାହ ପରେ ପ୍ରତାରଣା କରିବା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତଙ୍କୁ ପୋଲିସ ୯ମାସ ପରେ ମଙ୍ଗଳବାର ଏକ ଘରୋଇ ହସ୍ପିଟାଲରୁ ଗିରଫ କରିଛି। ସେ ହେଲେ ଖଲ୍ଲିକୋଟ
ଥାନା ବଣିଆ ଗ୍ରାମର ସମୀର ଗୌଡ଼। ତାଙ୍କର ହାତ ଭାଙ୍ଗି ଯାଇଥିବା ବେଳେ ସେ ଚିକିତ୍ସିତ ହେଉଥିବା ଖବର ପାଇ ଏକ ଟିମ ସେଠାରେ ଚଢ଼ାଉ କରି ତାଙ୍କୁ କାବୁ କରିଥିଲା ବୋଲି ଥାନାଧିକାରୀ ସୁଚିତ୍ରା ପରିଡ଼ା କହିଛନ୍ତି। ପ୍ରକାଶ ଯେ, ସମୀର ଗୋଆରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଉକ୍ତ ସଂସ୍ଥାରେ ଗୋଆର ଜଣେ ଯୁବତୀ କାମ କରୁଥିବା ବେଳେ ସମୀର ତାଙ୍କ ସହ ପ୍ରେମ କରିବା ଆରମ୍ଭ କରିଥିଲେ। ସେ ନିଜକୁ ଅବିବାହିତ ବୋଲି କହିବା ସହ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପରେ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏପରିକି ସମୀର ଉକ୍ତ ଯୁବତଙ୍କୁ ୨୦୨୨ରେ ବ୍ରହ୍ମପୁର ଆଣି ଏକ ଲଜରେ ରଖିଥିଲେ। ପରେ ଏକ ମନ୍ଦିରରେ ବିବାହ କରିଥିଲେ। କିଛିଦିନ ପରେ ସମୀର ଗୋଆ ଯାଇ ଯୁବତୀଙ୍କ ଘରୁ ସୁନା ଗହଣା ଓ ଟଙ୍କା ଧରି ଫେରାର ହୋଇଯାଇଥିଲେ। ତାଙ୍କୁ ବହୁ ଖୋଜାଖୋଜି କରି ପୀଡ଼ିତା ଜଣଙ୍କ ଫେବୃଆରୀ ୨୪ରେ ବ୍ରହ୍ମପୁରରେ ପହଞ୍ଚିଥିଲେ। ପରେ ସେ ଏନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ।