Advertisement

ପାରଦ ଉପରମୁହାଁ: ୪ ଜିଲାକୁ ହିଟ୍‌ଓ୍ବେଭ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଲାଗିରହିଥିବା ବେଳେ ତାପମାତ୍ରା ଦୃଷ୍ଟାନ୍ତମୂଳକ ଭାବେ ହ୍ରାସ ପାଇଥିଲା। ତେବେ ମଙ୍ଗଳବାରଠାରୁ ରାଜ୍ୟର ପାରଦ ଉପରମୁହାଁ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆସନ୍ତା ୪ଦିନ ମଧ୍ୟରେ ଦିନ ତାପମାତ୍ରା ୨ରୁ ୬ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଆସନ୍ତା ୨ଦିନ ମଧ୍ୟରେ ରାତି ତାପମାତ୍ରା ମଧ୍ୟ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ଅନ୍ୟପଟେ ୨୯ ଓ ୩୦ ତାରିଖରେ ହିଟ୍‌ଓ୍ବେଭ୍‌ ନେଇ ୪ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସବୁ ଜିଲା ମଧ୍ୟରେ ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଓ ସୁବର୍ଣ୍ଣପୁର ରହିଛି। ମଙ୍ଗଳବାର ଚାନ୍ଦବାଲି, ଗୋପାଳପୁର, ପୁରୀ, ବଲାଙ୍ଗୀର ଓ ଜଗତ୍‌ସିଂପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନୁଗୋଳରେ ରାତି ତାପମାତ୍ରା ସର୍ବନିମ୍ନ ୧୮ ଡିଗ୍ରୀ ଏବଂ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share