Categories: ରାଜ୍ୟ

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା ତାପମାତ୍ରା ଅନୁଭୂତିକୁ ୪୦ ଡିଗ୍ରୀ ଭଳି ଅନୁଭୂତ ହେଉଥିଲା ବେଳେ ସାଢ଼େ ୧୧ଟା ବେଳେ ୫୦% ଆର୍ଦ୍ରତା ତାତି ମତ୍ରାକୁ ଆହୁରି ଭୟଙ୍କର କରି ଦେଉଛି। ଦିନ ସମୟରେ ଘରୁ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି ସରକାର। ଏହାରି ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଚିନ୍ତା ବଢ଼ାଇ ଦେଇଛି।

ଆଇଏମଡି ବୈଜ୍ଞାନିକଙ୍କ କହିବା ମୁତାବକ ଗତ ୪ ଦଶନ୍ଧି (୧୯୮୦-୨୦୨୦) ଭିତରେ ଭାରତରେ ହିଟ୍ ଷ୍ଟ୍ରେସ୍ ୩୦% ବଢ଼ିଛି। ଅତି ଉଚ୍ଚ ତାପମାତ୍ରା ଓ ଅତ୍ୟଧିକ ଆର୍ଦ୍ରତା ଶରୀର ଉପରେ ଗଭୀର ପ୍ରଭାବ ପକାଇଥାଏ। ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଅତ୍ୟଧିକ ତାପମାତ୍ରା ସହ ଆର୍ଦ୍ରତା ପରିମାଣ ପ୍ରାୟତଃ ୬୦%ରୁ ଅଧିକ ଥାଏ। ଏହା ପ୍ରଭାବରେ ତାପମାତ୍ରା ଯେତିକି ଥାଏ, ତା’ଠାରୁ ଢେର ଅଧିକ ଅନୁଭୂତ ହୋଇଥାଏ। ଏଭଳି ସ୍ଥିତି ଅତି ବିପଦଜନକ।

ଏହି କ୍ରମରେ ଓଡ଼ିଶା ଭଳି ରାଜ୍ୟରେ ତାତି ସାଙ୍ଗକୁ ଅତ୍ୟଧିକ ଗୁଳୁଗୁଳି ଯୋଗୁ ହିଟ୍ ଷ୍ଟ୍ରେସ୍ ଚିନ୍ତାର କାରଣ ପାଲଟିଛି। ବିଶେଷଜ୍ଞଙ୍କ ମତରେ ଏହି ହିଟ୍ ଷ୍ଟ୍ରେସ୍ ଏକ ସାଇଲେଣ୍ଟ କିଲର୍। ଏହାର ପ୍ରଭାବରେ ହଠାତ୍ ରକ୍ତଚାପ ବଢିଯିବାର ଆଶଙ୍କା ରହିଛି। ବ୍ରେନ୍‌ ଷ୍ଟ୍ରୋକ୍ ଏବଂ ହୃଦଘାତ୍ ମଧ୍ୟ ହୋଇପାରେ। ଫଳରେ ଲୋକେ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି। ଗତବର୍ଷ ଏପ୍ରିଲ ୧୬ରେ ମହାରାଷ୍ଟ୍ରରେ ହିଟ୍ ଷ୍ଟ୍ରେସ୍ କାରଣରୁ ଗୋଟିଏ ଦିନରେ ୧୬ ଜୀବନ ଯାଇଥିଲା।

ସମାନ ସମୟରେ ସାରା ଓଡ଼ିଶା ଗ୍ରୀଷ୍ମ ଲହରୀରେ ୪ ଦିନ ହେଲାଣି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ଧାରା ଆହୁରି ୩ ଦିନ ରହିପାରେ। ଗୁରୁବାର ଭୁବନେଶ୍ଵର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା। ଭୁବନେଶ୍ୱର ତଳକୁ ଅନୁଗୁଳ ତାପମାତ୍ରା ୪୩.୩, ବୌଦ୍ଧ ୪୩.୫ ଡିଗ୍ରୀ ଥିଲା । ରାଜ୍ୟର ୧୭ଟି ସହରରେ ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଥିଲା ।

ପାଣିପାଗ ବିଭାଗ ଚେତାଇ ଦେଇଛି, ଗୁରୁବାର ଭଳି ଶୁକ୍ରବାର ବି ସିଭିୟର ହିଟ୍ ୱେଭ୍ (ସାଂଘାତିକ ଗ୍ରୀଷ୍ମ ଲହରୀ) ଅନୁଭୂତ ହେବ। କଟକ, ଖୋର୍ଦ୍ଧା, ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଆଶଙ୍କା ଅଛି। ତେଣୁ ପ୍ରବଳ ଗ୍ରାମକୁ ନଜରରେ ରଖି ଲୋକମାନେ ସତର୍କ ରହିବା ଜରୁରୀ ହୋଇପଡିଛି ।

Share