Categories: ଜାତୀୟ

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଏନେଇ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହରେ ଦେଶର ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତ ଯଥା, ଗୁଜରାଟ, ହରିୟାଣା, ରାଜସ୍ଥାନ, ପଞ୍ଜାବରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଚଳିତ ବର୍ଷ ଏହି ରାଜ୍ୟଗୁଡ଼ିକରେ ସର୍ବାଧିକ ତାପମାତ୍ରା ୩୫.୯ ଡିଗ୍ରୀ ସେଲସିୟସ୍‌ରୁ ୩୭.୭୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ତେବେ ଏପ୍ରିଲ ମାସ ଭଳି ମେ’ ମାସରେ ମଧ୍ୟ ସମାନ ତାପମାତ୍ରା ରହିବ ବୋଲି ସେ କହିଛନ୍ତି। ମେ’ ମାସରେ ଦେଶର ଦକ୍ଷିଣ ଉପଦ୍ୱୀପ ଅଞ୍ଚଳକୁ ଛାଡ଼ିଦେଲେ ବିଭିନ୍ନ ରାଜ୍ୟରେ ରାତିରେ ଅଧିକ ଗରମ ଅନୁଭୂତ ହେବ। ସେହିପରି ଆସନ୍ତା ମାସରେ ଦେଶରେ ସ୍ବାଭାବିକ ବର୍ଷା ହେବ ବୋଲି ଆଇଏମ୍‌ଡି ପକ୍ଷରୁ କୁହାଯାଇଛି। ସୂଚନା ମୁତାବକ ରାଜସ୍ଥାନ, ଗୁଜରାଟ ଆଦି କିଛି ରାଜ୍ୟରେ ମେ’ ମାସରେ ବର୍ଷାର ପରିମାଣ କମ୍‌ ରହିବ। ଦେଶରେ ଗତମାସରେ ୮୯ ପ୍ରତିଶତ କମ୍‌ ପରିମାଣ ବର୍ଷା ହୋଇଥିବା ବେଳେ ଏପ୍ରିଲରେ ୮୩% କମ୍‌ ବର୍ଷା ହୋଇଛି।

Share