Categories: ଜାତୀୟ

ଆଉ ୫ ଦିନ ସତର୍କ ଜାରି କଲା ଆଇଏମ୍‌ଡି

ନୂଆଦିଲ୍ଲୀ,୨୮।୪: ଦେଶର ୫ଟି ରାଜ୍ୟରେ ଅନୂ୍ୟନ ଆଉ ୫ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହର ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିିଗ୍ରୀ ସେଲ୍‌ସିୟସ କିମ୍ବା ଏହାର ପାଖାପାଖି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୩ ଦିନରେ ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରା ୨ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇବ। ଓଡ଼ିଶା ବ୍ୟତୀତ ରାଜସ୍ଥାନ, ଦିଲ୍ଲୀ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ନିଆଁ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି। ମେ’ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅତ୍ୟଧିକ ଗ୍ରୀଷ୍ମ ଲହର ଲାଗି ରହିବା ପରେ ବର୍ଷା ସମ୍ଭାବନା ରହିଥିବା ଆଇଏମ୍‌ଡି ବୈଜ୍ଞାନିକ ଆର୍‌.କେ. ଜେନାମଣି କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ହେଲା କେନ୍ଦ୍ରୀୟ ଭାରତରେ ତାପମାତ୍ରା ବଢ଼ିଚାଲିଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶରେ ପାରଦ ୪୫ ଡିଗ୍ରୀ ଅତିକ୍ରମ କରିଛି। ଗୁରୁବାର ଦିଲ୍ଲୀରେ ସର୍ବାଧିକ ତାପମାତ୍ର ୪୩ ଡିଗ୍ରୀ ଛୁଇଁଛି। ଶୁକ୍ରବାର ଏହା ୪୪ ଡିଗ୍ରୀକୁ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଦେଶରେ ବିଦ୍ୟୁତ୍‌ ଚାହିଦା ବଢ଼ିଥିବା ବେଳେ କୋଇଲା ସଙ୍କଟ ଯୋଗୁ ବିଭିନ୍ନ ରାଜ୍ୟରେ ପାଓ୍ବାର କଟ୍‌ ହେଉଛି। ଫଳରେ ଗ୍ରୀଷ୍ମରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜମ୍ମୁ-କଶ୍ମୀରଠାରୁ ଆରମ୍ଭ କରି ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ୨ରୁ ୮ ଘଣ୍ଟା ବିଦ୍ୟୁତ୍‌ କାଟ୍‌ ହେଉଛି। ଶିଳ୍ପ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେଉଛି। ଦେଶରେ ମୋଟ ବିଦ୍ୟୁତ୍‌ ନିଅଣ୍ଟ ୬୨୩ ନିୟୁତ ୟୁନିଟରେ ପହଞ୍ଚତ୍ଛି। ଦେଶର ୭୦ ପ୍ରତିଶତ ବିଦ୍ୟୁତ୍‌ କୋଇଲା ଭିତ୍ତିକ ତାପଜ ବିଦ୍ୟୁତ ପ୍ଲାଣ୍ଟରୁ ଉତ୍ପାଦନ ହୋଇଥାଏ। ଯୋଗାଣ ସମସ୍ୟା ଯୋଗୁ ଏବେ ବିଭିନ୍ନ ବିଦ୍ୟୁତ୍‌ ପ୍ଲାଣ୍ଟରେ କୋଇଲା ଅଭାବ ଦେଖାଦେଇଛି। ଆଗାମୀ ୩ ବର୍ଷ କୋଇଲା ଆମଦାନୀ ବଢ଼ାଇବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

Share