୩ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ। ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରେ ଅଧିକ ହିଟ୍‌ ଓ୍ବେଭ୍‌ ଅନୁଭୂତ ହେବ। ତେଣୁ ଏହି ତିନି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେପଟେ ଶୁକ୍ରବାର ରାଜ୍ୟର ୪ ସହର ଭୁବନେଶ୍ୱର, ମାଲକାନଗିରି, ନୟାଗଡ଼ ଓ ବୌଦ୍ଧରେ ସର୍ବାଧିକ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ତଳକୁ କଟକ ଓ ଝାରସୁଗୁଡ଼ାରେ ୩୮.୪, ଅନୁଗୋଳ ୩୯.୧, ବାରିପଦା ୩୮.୬, ସମ୍ବଲପୁର, ଟିଟିଲାଗଡ଼ ଓ ସୋନପୁରରେ ୩୯.୫, ସୁନ୍ଦରଗଡ଼ ୩୭.୫, ହୀରାକୁଦ ୩୯.୧, ତାଳଚେର ୩୯.୫, ଭବାନିପାଟଣା ୩୮.୬, ବଲାଙ୍ଗୀରରେ ୩୯.୭ ଡିଗ୍ରୀ ରହିଛି।
ଅନ୍ୟପକ୍ଷରେ ତାତିରୁ ଆଶ୍ୱସ୍ତି ଦେବ ବର୍ଷା। ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କୋରାପୁଟ, ଗଞ୍ଜାମ, ଗଜପତି, ଯାଜପୁରରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ୨୮ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଏବଂ ୨୯ରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲାର କେତେକ ସ୍ଥାନରେ ଝଡ଼ତୋଫାନ ସହ ବଜ୍ରପାତ ହେବ। ଏସବୁ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। ତେଣୁ ଏହି ଦୁଇଦିନ ଏ ସମସ୍ତ ଜିଲାକୁ ଝଡ଼ତୋଫାନ ଓ ବଜ୍ରପାତ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Share