୧୦ ଜିଲାରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ଶୀତ ବଢିବା ସହିତ କେତେକ ଜିଲାରେ ଘନ କୁହୁଡି ଦେଖାଦେଇଛି। ଆସନ୍ତା ୨୧ ତାରିଖ ଯାଏ ରାଜ୍ୟର ୧୦ଟି ଜିଲାରେ ଘନ କୁହୁଡି ହେବ ବୋଲିି ପାଣିପାଗ ବିଭାଗ ସତର୍କ କରିଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ଅନୁଗୋଳ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲାରେ ଘନ କୁହୁଡି ହେବ। ସେହିପରି ୨୦ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଏବଂ ବୌଦ୍ଧ ଜିଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାଗୁଡିକରେ ସତର୍କତା ଅବଲମ୍ବନ କରିବାକୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳ ଏବଂ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘନ କୁହୁଡି ହେବାକୁ ଥିବାରୁ ଜାତୀୟ ରାଜପଥଗୁଡ଼ିକରେ ଯାନବାହନ ଚଳାଚଳ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦିଆଯାଇଛି।
ଗତ ଦୁଇଦିନ ହେବ ରାଜ୍ୟରେ ଶୀତ ପରିମାଣ ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟର ୮ଟି ସହରରେ ପାରଦ ୧୨ ଡିଗ୍ରୀ ତଳେ ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝର ୧୦.୬, ସୁନ୍ଦରଗଡ଼ ୧୧, ହୀରାକୁଦ ୧୩.୧, ଭବାନୀପାଟଣା ୧୧.୫, ବଲାଙ୍ଗୀର ୧୦.୫, ଫୁଲବାଣୀ ୧୧ ଏବଂ ଟିଟିଲାଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Share