ପାଟଣାରେ ଘନ କୁହୁଡ଼ି, ଗାଡ଼ି ଚଳାଚଳରେ ସମସ୍ୟା

ପାଟଣା,୮ା୧(ବୀରକିଶୋର ଦାଶ): ସୋମବାର ସକାଳୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଫଳରେ ରାଜପଥରେ ୩ଶହ ମିଟର ପର୍ଯ୍ୟନ୍ତ ଗାଡ଼ିମୋଟର ଦେଖି ହେଉନାହିଁ। ଦୁର୍ଘଟଣାକୁ ଏଡ଼ାଇବାକୁ ଚାଳକମାନେ ରାଜପଥରେ ଇଣ୍ଡିକେଟର ଦେଇ ଗାଡ଼ି ଛିଡ଼ା କରିଦେଇଛନ୍ତି। ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ଘନକୁହୁଡ଼ି ଯୋଗୁ ସକାଳୁ ଲୋକେ ଘରୁ ବାହାରିବା କାଠିକର ହୋଇଯାଇଛି। ପାଟଣା ଅଞ୍ଚଳର ବଜାର ଘାଟ ଶୂନ୍‌ଶାନ ହୋଇପଡ଼ିଛି। କେନ୍ଦୁଝର ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ, ମୁତୁରୁମୁଙ୍ଗା ମୁଖ୍ୟାଳୟ ଦେଇଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ରାଞ୍ଚି ବିଜୟଓ୍ବାଡା ଜାତୀୟ ରାଜପଥରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖା ଦେଇଦେଇଛି। ଥଣ୍ଡାରୁ ରକ୍ଷା ପାଇଁ ଚା’ ଦୋକାନରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।