୯ ଜିଲାରେ ପ୍ରବଳ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର,୧୪ା୧(ବ୍ୟୁରୋ): ରାଜ୍ୟରେ ଶୀତ ଆହୁରି କମିବ ଓ ତାପମାତ୍ରା ଆହୁରି ବଢ଼ିବ। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ପାଇଥିବାରୁ ଆଗାମୀ ୩ ଦିନ ରାଜ୍ୟର ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଅନେକ ଜିଲାରେ ଘନକୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଅନୁଗୋଳ, କଟକ, କେନ୍ଦୁଝର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଜିଲାରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଉପକୂଳ ଜିଲା ଏବଂ କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ କନ୍ଧମାଳ ଜିଲାରେ ହାଲୁକା କୁହୁଡ଼ି ହେବ ବୋଲି ଅନୁମାନ କରାଯାଇଛି।
ଆସନ୍ତା ୧୭ ତାରିଖରେ ପାଗ ବଦଳିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କେତେକ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଉତ୍ତର ଦିଗରୁ ଥଣ୍ଡା ଶୁଷ୍କବାୟୁ ପ୍ରବାହ ହ୍ରାସ ପାଇବା ପରେ ରାଜ୍ୟକୁ ଆରବ ସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହିତ ହେଉଛି। ଫଳରେ ରାତ୍ରିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଗୁରୁଚାପ ବଳୟ ଯୋଗୁ ବିଭିନ୍ନ ସ୍ଥାନରେ ଘନକୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି।

Share