ପାଟଣା,୨୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଶନିବାର ଘନ କୁହୁଡ଼ି ଆସ୍ତରଣ ଯୋଗୁ ଦିନ ୧୦ଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ସହ ଗମନାଗମନରେ ବ୍ୟାଘାତ ସୃଷ୍ଟି ହୋଇଛି। କୁହୁଡ଼ି ଆସ୍ତରଣ ହେତୁ ମୁହଁକୁ ମୁହଁ ଦୃଶ୍ୟମାନ ହେଉନାହିଁ। ଫଳରେ ବାଇକ୍, କାର, ଟ୍ରକ୍ ଓ ବସ୍ ଚାଳକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବଡ଼ବଡ଼ ଗାଡ଼ିଗୁଡ଼ିକ ଇଣ୍ଡିକେଟର ଦେଇ ରାସ୍ତା ଉପରେ ଛିଡ଼ା ହୋଇ ରହିଛନ୍ତି। ଫଳରେ ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ରାଞ୍ଚତ୍ ବିଜୟୱାଡ଼ା ଜାତୀୟ ରାଜପଥ ଓ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କଲିକତା ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ତେବେ ହାଡ଼ଭଙ୍ଗା ଶୀତରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତ ମିଳିଛି। ଜାନୁୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଜିଲାରେ ଘନ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।