ଭୁବନେଶ୍ୱର, ୬।୧(ବ୍ୟୁରୋ) – ସାରା ରାଜ୍ୟରେ ଏବେ ଶୀତ ଅନୁଭୂତ ହେଉଛି। କିନ୍ତୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ଟି ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହି ଜିଲାଗୁଡ଼ିକ ହେଲା ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ। ଏଥିସହିତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଅଳ୍ପ କୁହୁଡ଼ି ଦେଖାଦେବ।
ସେପଟେ ବୁଧବାର ଫୁଲବାଣୀରେ ସର୍ବନିମ୍ନ ୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଜି. ଉଦୟଗିରି ୮.୮, ଦାରିଙ୍ଗବାଡ଼ି ୯, ସିମିଳିଗୁଡ଼ା ୯.୧, ଟିଟିଲାଗଡ଼ ୯.୮, କେନ୍ଦୁଝର ୧୦.୨, ସୋନପୁର ୧୧, ଅନୁଗୋଳ ୧୧, କୋରାପୁଟ ୧୧.୫, ଝାରସୁଗୁଡ଼ା ୧୧.୮, ଚାନ୍ଦବାଲି ୧୧.୯, ବାରିପଦା ୧୨, ସୁନ୍ଦରଗଡ଼ ୧୨, ଭୁବନେଶ୍ୱର ୧୨.୨ ଓ କଟକର ତାପମାତ୍ରା ୧୨.୬ ଡିଗ୍ରୀ ରହିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି।