୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲାରେ ଆସନ୍ତା ୪୮ଘଣ୍ଟା ପ୍ରବଳ ବର୍ଷା ହେବ। ସୋମବାର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି। ମାତ୍ର ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଯୋଗୁ ଏସବୁ ଜିଲାରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ସୋମବାର ବଲାଙ୍ଗୀର, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ବର୍ଷା, ଝଡ଼ତୋଫାନ ସହିତ ବଜ୍ରପାତ ହେବ। ଏ ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ସହ ୟେଲୋ ଓ୍ବାର୍ନିଂ ଜାରି କରିଛି। ମଙ୍ଗଳବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ। କିନ୍ତୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ଥିବାରୁ ଏହି ଜିଲାଗୁଡ଼ିକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଆସନ୍ତା ୨୩ ତାରିଖରେ ମୟୂରଭଞ୍ଜ, ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ପାଣିପାଗ କେନ୍ଦ୍ର ୟେଲୋ ଓ୍ବାର୍ନିଂ ଜାରି କରିଛି। ରବିବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। କଟକରେ ୧୯ ମିମି, ବାରିପଦାରେ ୧୮ ମିମି, ବାଲେଶ୍ୱରରେ ୧୭ ମିମି, ଅନୁଗୋଳରେ ୧୬ ମିମି, ତାଳଚେରରେ ୧୦ ମିମି ଏବଂ କେନ୍ଦୁଝରରେ ୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Share