୮ ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷିବା ସମ୍ଭାବନା

ଭୁବନେଶ୍ୱର,୧୭ା୭ (ଅନୁରାଧା ମହାରଣା): ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ବୌଦ୍ଧ ଜିଲାରେ ସର୍ବାଧିକ ୫୪.୦ ମିମି ବର୍ଷା ହୋଇଥିବାବେଳେ ରାଉରକେଲାରେ ୩୨.୧ ମିମି, ନୂଆପଡ଼ା ୩୦.୪ ମିମି, ସୋନପୁର ୨୮.୮ ମିମି ଓ ରାୟଗଡ଼ାରେ ୨୧.୮ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୧ ତାରିଖ ଯାଏ ସାରା ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିବା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, ସୋନପୁର, ବଲାଙ୍ଗୀର ଓ ଦେବଗଡ଼ ଆଦି ୮ ଜିଲାରେ ଘଡଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା

ହେବାର ସମ୍ଭାବନା ରହିଛି। ଉକ୍ତ ଜିଲାଗୁଡ଼ିକୁ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯିବା ସହ ଜଳବନ୍ଦୀ ଆଶଙ୍କା ରହିଥିବାରୁ କଚ୍ଚାଘର ପ୍ରତି ବିପଦ ଥିବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଧାନ ଆଦି ବିହନ ବୁଣାଯାଇଥିବା ଜମିରେ ଯେପରି ପାଣି ନ ଜମିବ ସେଥିପାଇଁ ଚାଷୀମାନେ ବ୍ୟବସ୍ଥା ଗ୍ରହଣ କରିବାକୁ ସୂଚନା ଦିଆଯାଇଛି। ଅନ୍ୟପଟେ ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କୋରାପୁଟ ଆଦି ୧୧ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର, ସୋନପୁର, ଦେବଗଡ଼, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ବରଗଡ଼ ଆଦି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସମ୍ପୃକ୍ତ ଜିଲାଗୁଡ଼ିକରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Share